ଦୋଷ ଲୁଚାଇବାକୁ ନବୀନ ଏଭଳି କହୁଛନ୍ତି : ମନମୋହନ

ଭୁବନେଶ୍ଵର : ଝାରସୁଗୁଡ଼ା ଉପନିର୍ବାଚନ ବିଯୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେଥିପାଇଁ ଆଜି ଶଙ୍ଖ ଭବନ ସେଲିବ୍ରେସନ୍ ପାଳନ ଅବସରରେ ଦଳର ମୁଖିଆ ନବୀନ ପଟ୍ଟନାୟକ କହିଛନ୍ତି ବିକାଶ ପାଇଁ ସିଙ୍ଗଲ କି ଡବଲ ଇଞ୍ଜିନ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଲୋକେ କେବଳ ସୁଶାସନକୁ ବୁଝନ୍ତି। ଏହାକୁ ନେଇ ବିଜେପିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଡବଲ ଇଞ୍ଜିନ ଓ ସ୍ୱଚ୍ଛ ଶାସନ କ’ଣ ତାହା ନବୀନ ଦେଖିବେ। ନିଜ ଦୋଷ ଲୁଚାଇବାକୁ ସେ ଏଭଳି କହୁଛନ୍ତି।
ଗଣମାଧ୍ୟମକୁ ଶ୍ରୀ ସାମଲ କହିଛନ୍ତି କେନ୍ଦ୍ର ସରକାର କିଭଳି ସ୍ୱଚ୍ଛତାର ସହ ଚାଲିଛି ତାହା ନବୀନ ପଟ୍ଟନାୟକ ଶିଖନ୍ତୁ। ଏଠି ଅନ୍ୟାୟ ଅନୀତିର ସରକାର ଚାଲିଛି। ବିନା ପଇସାରେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁନି। ସବୁଠୁ ବେଶୀ ଦୁଷ୍କର୍ମ ଓଡ଼ିଶାରେ ହେଉଥିବା ବେଳେ ନବୀନବାବୁ ମହିଳାଙ୍କ ସମ୍ମାନ କଥା କହୁଛନ୍ତି। ଏହା ଓଡ଼ିଶା ଲୋକେ ବୁଝିସାରିଲେଣି। ଡବଲ ଇଞ୍ଜିନ ସରକାର ପାଇଁ ସ୍ଥିର କରିସାରିଲେଣି। ୨୦୨୪ରେ ରାଜ୍ୟରେ ବିଜେପି ସରକାର ହେବ ବୋଲି ଶ୍ରୀ ସାମଲ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।
ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ପ୍ରସଙ୍ଗରେ ସେ କହିଛନ୍ତି ଝାରସୁଗୁଡ଼ା ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବ। ଉପନିର୍ବାଚନ ଫଳାଫଳ ପ୍ରାୟତଃ ଶାସକ ଦଳ ସପକ୍ଷରେ ଯାଇଥାଏ। ଏହାକୁ ସାଧାରଣ ନିର୍ବାଚନ ସହ ତୁଳନା କରିବା ଅନୁଚିତ୍। ଓଡ଼ିଶାରେ କଂଗ୍ରେସ ଏକପ୍ରକାର ପ୍ରତ୍ୟାଖ୍ୟାତ ହୋଇଛି। ତେଣୁ ଏଠାରେ ବିଜେଡି-ବିଜେପି ହିଁ ରାଜନୀତି କରିବେ।



























