୧୩ ବରିଷ୍ଠ ଓଏଏସଙ୍କ ପଦୋନ୍ନତି ଓ ବଦଳି

ଭୁବନେଶ୍ଵର : ରାଜ୍ୟ ସରକାର୧୦ଜଣ ଯୁଗ୍ମ ସଚିବ ପାହ୍ୟାର ଓଏଏସ ଅଫିସରଙ୍କ ପଦୋନ୍ନତି ସହିତ ବଦଳି କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ସୁପରିଅର ଆଡମିନିଷ୍ଟ୍ରେସନ ଗ୍ରେଡ (ଏସଏଜି)କୁ ପଦୋନ୍ନତି ଦିଆଯାଇ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଢେଙ୍କାନାଳ-କେନ୍ଦୁଝର ପ୍ରମୁଖ ବନ୍ଦୋବସ୍ତ ଅଧିକାରୀ ଅଯୋଧ୍ୟାକାନ୍ତ ଶତପଥୀ ଏସଏଜିକୁ ପଦୋନ୍ନତି ପରେ ସେହି ସ୍ଥାନରେ କାର୍ଯ୍ୟ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ସୁମିତା ବେହେରାଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇ ସେହି ବିଭାଗରେ କାର୍ଯ୍ୟ କରିବାକୁ କୁହାଯାଇଛି। ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ପଦୋନ୍ନତି ପରେ କରାଯାଇଛି ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ। ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ମିଳିଛି ନିଯୁକ୍ତି। ପଦୋନ୍ନତି ପରେ ପଦ୍ମନାଭ ବେହେରାଙ୍କୁ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର, ରାଜୀବ ଲୋଚନ ସିଂହଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ସଚିବ, ସୁଧାକର ନାୟକଙ୍କୁ ନିଜ ସ୍ଥାନ (ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ) ଏବଂ ବିଷ୍ଣୁପ୍ରିୟା ସାହୁଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ସଚିବ ଦାୟିତ୍ଵ ତୁଲାଇବାକୁ କୁହାଯାଇଛି।

ଏହାବ୍ୟତୀତ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣାଙ୍କୁ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ, ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଓଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଓ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କର ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି।

Leave a Reply

Your email address will not be published. Required fields are marked *

Back to top button