୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ସେ କରିଛନ୍ତି ଲୋକାର୍ପିତ। ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ ଥିବାବେଳେ ଅନୁଗୋଳ ୮୭ଟି, କେନ୍ଦୁଝର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ରହିଛି। ତୃତୀୟ ପର୍ଯ୍ୟାୟରେ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି। ୩ୟ ପର୍ଯ୍ୟାୟ ସଂପୂର୍ଣ୍ଣ ହେଲେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।

ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ମୁଖ୍ୟମନ୍ତ୍ରୀ କହିଲେ ଛାତ୍ରଛାତ୍ରୀମାନଙ୍କ ସଫଳତା ହେଉଛି ଓଡ଼ିଶାର ସଫଳତା। ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ ନିଜର ଓ ସେମାନଙ୍କ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡ଼ିଶାର ଗୌରବ ବୃଦ୍ଧି ହେବ।

ମୁଖ୍ୟମନ୍ତ୍ରୀ କହିଲେ ପିଲାମାନେ ଯଦି ନିଜ ଜୀବନରେ ୫-ଟିର ଉପଯୋଗ କରିବେ ତେବେ ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ। ବର୍ତ୍ତମାନ ହେଉଛି ଟେକ୍ନୋଲୋଜିର ଯୁଗ। ତେଣୁ ପିଲାମାନେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ। ଦ୍ୱିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ। ପିଲାମାନେ ମିଳିମିଶି କାମ କଲେ ସଫଳତାର ସମ୍ଭାବନା ବଢିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ। ସେହିପରି ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା। ଏହାଦ୍ୱାରା ମଣିଷର ବିଶ୍ୱସନୀୟତା ବୃଦ୍ଧି ପାଏ। ଏହାଛଡା ସମୟରେ ଗୁରୁତ୍ୱ ସଂପର୍କରେ ସମସ୍ତେ ଜାଣିଛନ୍ତି। ଏସବୁ ସହିତ ସମୟର ଉପଯୋଗ ଠିକ ଭାବରେ କରିପାରିଲେ ପିଲାମାନେ ନିଶ୍ଚୟ ସବୁକ୍ଷେତ୍ରରେ ଆଗରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button