ତମାଖୁ ବିଜ୍ଞାପନ : ବଲିଉଡର ତିନି ଷ୍ଟାରଙ୍କୁ କାରଣ ଦର୍ଶାଅ ନୋଟିସ
ମୁମ୍ବାଇ : ତମାଖୁ କମ୍ପାନିର ବିଜ୍ଞାପନ ମାମଲାରେ ବଲିଉଡ ଷ୍ଟାର ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠକୁ ଏହା ସୂଚିତ କରାଯାଇଛି।
କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ସୁପ୍ରିମକୋର୍ଟ ମଧ୍ୟ ଏହି ମାଲାରେ ଶୁଣାଣି କରୁଛନ୍ତି, ତେଣୁ ଏହି ଆବେଦନକୁ ଖାରଜ କରାଯିବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ୨୦୨୪ ମେ’ ୯ ପାଇଁ ସ୍ଥିର କରାଯାଇଛି।
ଗତ ଶୁକ୍ରବାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡେପୁଟି ସଲିସିଟର ଜେନେରାଲ ଏସବି ପାଣ୍ଡେ କହିଛନ୍ତି ବଲିଉଡର ଷ୍ଟାର ଅକ୍ଷୟ କୁମାର, ଶାହରୁଖ ଖାନ ଓ ଅଜୟ ଦେବଗନଙ୍କୁ କାରଣ ଦର୍ଶାଅ ନୋଟିସ ପଠା ଯାଇଛି। ଏଥିସହ ଅଦାଲତଙ୍କୁ ସୂଚୀତ କରାଯାଇଛି ତାଙ୍କୁ ବିଜ୍ଞାପନରେ ଦେଖାଇଥିବା ସେହି ତମାଖୁ କମ୍ପାନିକୁ ଅମିତାଭ ବଚ୍ଚନ ନୋଟିସ୍ ପଠାଇଛନ୍ତି। କାରଣ ତାଙ୍କର କମ୍ପାନି ସହିତ ହୋଇଥିବା ଚୁକ୍ତିକୁ ସେ ପୂର୍ବରୁ ରଦ୍ଦ କରିଛନ୍ତି।
ଅନ୍ୟପକ୍ଷରେ ଆଡଭୋକେଟ ମୋତିଲାଲ ଯାଦବ ଆବେଦନରେ ଉଲ୍ଲେଖ କରିଛନ୍ତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସେଲିବ୍ରିଟିମାନେ ତମାଖୁ କମ୍ପାନିଗୁଡ଼ିକର ବିଜ୍ଞାପନ କରିବା ଘଟଣା ଚିନ୍ତାର କାରଣ ହୋଇଛି । ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ସାମଗ୍ରୀଗୁଡ଼ିକର ବିଜ୍ଞାପନ କରୁଥିବା ଷ୍ଟାରଙ୍କ ମଧ୍ୟରେ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ସହିତ ଅମିତାଭ ବଚ୍ଚନ ରହିଥିବା ଆଡଭୋକେଟ ଶ୍ରୀ ଯାଦବ ଆବେଦନରେ ଦର୍ଶାଇଛନ୍ତି।