ବଲାଙ୍ଗିର ରାଜାଘର ବୋହୂ ଅଦ୍ରିଜାଙ୍କ ଅଭିଯୋଗ : ପୋଲିସ ସୁରକ୍ଷା ଦେଉନି

ବଲାଙ୍ଗିର : ବଲାଙ୍ଗିର ରାଜ ପରିବାରର ଗୁମର ପଦାକୁ ଆସୁଛି। କିଛିଦିନ ତଳେ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ପତ୍ନୀ ଅଦ୍ରିଜା ମଞ୍ଜରୀ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏବେ କିଛି ବ୍ୟକ୍ତିଗତ ଜିନିଷ ନେବାକୁ ଡେରାଡୁନରୁ ସେ ବଲାଙ୍ଗୀରି ଆସିଥିଲେ ପ୍ୟାଲେସରେ ତାଲା ପଡ଼ିଛି। ପୋଲିସ ସୁରକ୍ଷା ଯୋଗାଇ ଦେଉନଥିବା ଅଦ୍ରିଜା ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ଅଦ୍ରିଜା ସାମ୍ବିଦିକ ସମ୍ମିଳନୀରେ କହିଛନ୍ତି ମୋତେ ମାନସିକ ନିର୍ଯାତନା ଦିଆଯାଇଥିବାରୁ ମୁଁ ଶାଶୁଘର ଛାଡ଼ି ଡେରାଡୁନରେ ବାପ ଘରେ ରହୁଛି। ମୁଁ କେବଳ ମୋ ଜିନିଷପତ୍ର ନେବାକୁ ବଲାଙ୍ଗିର ଆସିଥିଲି। ପୋଲିସ ମୋତେ କୌଣସି ପ୍ରକାର ସହଯୋଗ କରୁନି। ସେ କହିଛନ୍ତି ଗତ ଦୁଇ ମାସରେ ମୋତେ ବହୁ ଥର ମାରିବାକୁ ଧମକ ଦିଆଯାଇଥିବା ବେଳେ ମୋ’ ନାଁରେ ମିଥ୍ୟା ମାମଲା କରିବା ସହ ବହୁ ଥର ଅପମାନିତ କରାଯାଇଛି। ମୋ’ ଜୀବନ ପ୍ରତି ବିପଦ ଥିବାରୁ ମୁଁ ପୋଲିସ ସୁରକ୍ଷା ବଳୟରେ ରାଜପ୍ରସାଦକୁ ଯାଇ ମୋ’ ଜିନିଷ ପତ୍ର ଆଣିବାକୁ ଚାହୁଁଛି। ଏଥିପାଇଁ ଆଜି ଥାନାରେ ଦୁଇଘଣ୍ଟା ବସିବା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଲା ନାହିଁ। ବଲାଙ୍ଗିର ପୋଲିସ କହୁଛି ଡେରାଡୁନ ପୋଲିସ ଆସି ସୁରକ୍ଷା ପ୍ରଦାନ କରୁ। ଏହି ମାମଲା ପରିଚାଳନା କରୁଥିବା ଡେରାଡୁନର ତଦନ୍ତକାରୀ ଅଧିକାରୀ ବଲାଙ୍ଗିର ଆସିବାକୁ ସେମାନେ ଅପେକ୍ଷା କରିଛନ୍ତି। ମୁଁ ଜଣେ ମହିଳା ହୋଇଥିଲେ ମଧ୍ୟ ସୁରକ୍ଷା ନପାଇ ନିରାଶ ହୋଇଛି।

ସେ କହିଛନ୍ତି ମୋ’ ସ୍ୱାମୀଙ୍କ ପାଇଁ ମୁଁ ରାଜନୀତିରେ ପାଦଦେଇ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ପ୍ରଚାର କରିଥିଲି। ଏହାପରେ ସମ୍ପର୍କରେ କାହିଁକି ଫାଟ ସୃଷ୍ଟି ହେଲା ମୁଁ କିଛି ଜାଣିନି। ତେଣୁ ମୁଁ ଏଠାକୁ ରହିବାକୁ ଆସିନି। ମୁଁ କେବଳ ମୋ’ ଜିନିଷପତ୍ର ନେବାକୁ ଆସିଛି। ଉକ୍ତ ଜିନିଷପତ୍ର ଉପରେ ମୋର ସମ୍ପୂର୍ଣ୍ଣ ଅଧିକାର ଥିବାବେଳେ ମୋତେ କିନ୍ତୁ ସେଗୁଡ଼ିକୁ ନେବାକୁ ଦିଆଯାଉନି।

ସୂଚନାଯୋଗ୍ୟ ଅଦ୍ରିଜା ମଞ୍ଜରୀ ଡେରାଡୁନର ଏକ ଥାନାରେ ଅଭିଯୋଗ କରିଥିଲେ ସ୍ୱାମୀ ଅର୍କେଶ ତାଙ୍କୁ ମାଡ଼ ମାରୁଛନ୍ତି। ଶ୍ୱଶୁର, ଦେଢଶୁର ଓ ବଡ଼ ଯା’ ମାନସିକ ନିର୍ଯାତନା ଦେଉଛନ୍ତି। କିନ୍ତୁ ଅର୍କେଶ ଏହାକୁ ଖଣ୍ଡନ କରିବା ସହ ତାଙ୍କ ଡେରାଡୁନସ୍ଥିତ ଘରକୁ ଅଦ୍ରିଜା କବଜା କରିଥିବା ଅଭିଯୋଗ କରିଥିଲେ। ଡେରାଡୁନର ଏକ ଥାନାରେ ସେ ମଧ୍ୟ ଅଭିଯୋଗ କରିଛନ୍ତି। ଉଭୟଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।

Leave a Reply

Your email address will not be published. Required fields are marked *

Back to top button