‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିସନ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିସନ୍‌’ର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଜନସାଧାରଣଙ୍କୁ ନିଜର ସ୍ୱାସ୍ଥ୍ୟ ସୂଚନା ରେକର୍ଡ ଥିବା ଏକ ‘ୟୁନିକ୍‌ ଡିଜିଟାଲ୍‌ ହେଲ୍‌ଥ୍‌ ଆଇଡି’ ଯୋଗାଇ ଦିଆଯିବ।

ଖବର ଅନୁଯାୟୀ ୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲ୍‌ କିଲ୍ଲା ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ‘ଜାତୀୟ ଡିଜିଟାଲ୍‌ ସ୍ୱାସ୍ଥ୍ୟ ମିସନ୍’ର ‘ପାଇଲଟ୍‌ ପ୍ରୋଜେକ୍ଟ୍‌’ ସମ୍ପର୍କରେ ଘୋ‌ଷଣା କରିଥିଲେ। ସୋମବାର ଦେଶର ଡିଜିଟାଲ୍‌ ଉପକ୍ରମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଆଜି ଦିନଟି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଗତ ୭ ବର୍ଷ ହେବ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଅଭିଯାନ ଆଜି ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି।

ଏହି ପ୍ରକଳ୍ପ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ‘ପାଇଲଟ୍‌ ପର୍ଯ୍ୟାୟ’ରେ ପ୍ରବର୍ତ୍ତନ କରାଯାଉଛି। ‘ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ’ (ଏନ୍‌ଏଚ୍‌ଏ) ଦେଶବ୍ୟାପୀ ‘ଆୟୁଷ୍ମାନ୍‌ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ର (ଏବି ପିଏମ୍‌-ଜେଏୱାଇ) ତୃତୀୟ ବାର୍ଷିକୀ ପାଳନ କରୁଥିବା ବେଳେ ‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିସନ୍‌’ର ଶୁଭାରମ୍ଭ ହୋଇଛି। ୧୪ ଅଙ୍କବିଶିଷ୍ଟ ଏହି ପରିଚୟପତ୍ର ନାଗରିକମାନଙ୍କ ସ୍ୱାସ୍ଥ୍ୟ ଆକାଉଣ୍ଟ୍‌ ଭାବେ କାମ କରିବ। ଏଥିରେ ପ୍ରତ୍ୟେକ ପରୀକ୍ଷା, ପ୍ରତ୍ୟେକ ରୋଗ, ଦେଖାଇଥିବା ଡାକ୍ତର, ଖାଇଥିବା ଔଷଧ ଓ ନିଦାନ ଆଦିର ସବିଶେଷ ବିବରଣୀ ରହିବ। ନେବା ଆଣିବା ଓ ସହଜ ସୁବିଧାଜନକ ହୋଇଥିବାରୁ ରୋଗୀ ନୂଆ ସ୍ଥାନ କିମ୍ବା ନୂଆ ଡାକ୍ତରଙ୍କୁ ଦେଖାଇବାକୁ ଗଲେ ଏହି କାର୍ଡରେ ଥିବା ସୂଚନା କାମରେ ଆସିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମ୍‌ଣଡାବିୟା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button