୬୦ ବର୍ଷ ବୟସରେ ବାହାହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

ମୁମ୍ବାଇ : ଜାତୀୟ ଫିଲ୍ମ ପୁରସ୍କାର ପ୍ରାପ୍ତ ଆଶିଷ ବିଦ୍ୟାର୍ଥୀ ରାଜୋଶି ବରୁଆଙ୍କୁ ବିବାହ କରିଥିଲେ। ଆର୍ଥ ବିଦ୍ୟାର୍ଥୀ ନାମକ ଜଣେ ପୁଅ ଥିବା ସତ୍ତ୍ୱେ ୬୦ ବର୍ଷିୟ ଆଶିଷ ୩୩ ବର୍ଷୀୟ ରୂପାଲିଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି। ଆଜି ଉଭୟଙ୍କ ପରିବାର ଓ କିଛି ହାତ ଗଣତି ବନ୍ଧୁମାନଙ୍କ ଉପସ୍ଥିତିରେ ରେଜିଷ୍ଟ୍ରୀ ମ୍ୟାରେଜ ହୋଇଛି। ଏହି ଅବସରରେ ଆଶିଷ କହିଛନ୍ତି ଜୀବନର ଏ ବୟସରେ ରୂପାଲିଙ୍କୁ ବିବାହ କରିବା ମୋତେ ବେଶ ଆନନ୍ଦ ଦେଉଛି। ଆଜି ସକାଳେ ଆମେ କୋର୍ଟ ମ୍ୟାରେଜ କରିଛୁ। ସନ୍ଧ୍ୟାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ।
ଖବର ଅନୁଯାୟୀ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ଅନେକ ଆଞ୍ଚଳି ଫିଲ୍ମରେ ଅଭିନୟ କରି ଆଶିଷ ବିଦ୍ୟାର୍ଥୀ ଲୋକପ୍ରିୟତର ଶୀର୍ଷରେ ରହିଛନ୍ତି। ୧୯୬୨ ଜୁନ ୧୯ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ଆଶିଷ ଓଡ଼ିଆ ସମେତ ୧୧ଟି ବିଭିନ୍ନ ଭାଷାର ପ୍ରାୟ ୩୦୦ଟି ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କୁ ବାହାହୋଇ ବେଶ ଖୁସି ଅଛନ୍ତି ଫ୍ୟାଶନ ଉଦ୍ୟୋଗପତି ରୂପାଲି। ସେ କହିଛନ୍ତି ଆମେ ପରସ୍ପରକୁ କିଛିଦିନ ତଳେ ଭେଟିଥିଲୁ। ଏହାପରେ ସମ୍ପର୍କକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଥିଲୁ। ଆମେ ବାହାଘର ପରିବାର ଲୋକଙ୍କ ଉପସ୍ଥିତିରେ ଗୋଟିଏ କାର୍ଯ୍ୟକ୍ରମ ଜରିଆରେ ହେଉ ବୋଲି ଚାହୁଁଥିଲୁ। ତେଣୁ ଆଜି ସକାଳୁ ବିବାହ କରିଛୁ।