ଅକ୍ଟୋବର ଗାଇଡଲାଇନ୍ : ସବୁ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର : ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ଯାଏ ରାଜ୍ୟରେ କୋଭିଡି କଟକଣା ବଳବତ୍ତର ରହିବ। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସମସ୍ତ ପୌରାଞ୍ଚଳରେ ଅକ୍ଟୋବର ମାସ ତମାମ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଏବଂ କଟକ-ଭୁବନେଶ୍ୱର ଅକ୍ଟୋବର ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ଯାଏ ଲାଗୁହେବ କର୍ଫ୍ୟୁ।

ଗୁରୁବାର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ ଆଗକୁ ପୂଜା ପର୍ବପାବଣ୍ୟ ଆସୁଛି। ସେଥିପାଇଁ ସତର୍କ ରହିବା ଆବଶ୍ୟକ। ବିଶେଷକରି ଭିଡ଼ ନକରିବା ଓ ଭିଡ଼ ଭିତରକୁ ନଯିବା ଉଚିତ। ସେ କହିଛନ୍ତି ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏଥିରେ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନରେ ବିଶେଷ ପରିବର୍ତ୍ତନ ହୋଇନାହିଁ। କେବଳ କଟକ ଓ ଭୁବନେଶ୍ୱର ସହର ପାଇଁ କଟକଣା ସାମାନ୍ୟ କଡ଼ାକଡ଼ି କରାଯାଇଛି। କଟକ ଓ ଭୁବନେଶ୍ୱର ଅକ୍ଟୋବର ୧୧ ତାରିଖରୁ ୨୦ ଯାଏ ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ରହିବ। ଏହି ଦୁଇଟି ଜିଲ୍ଲାର ସହରାଞ୍ଚଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ରହିବ। ସମସ୍ତ ପୌରାଞ୍ଚଳରେ ଅକ୍ଟୋବର ମାସ ସାରା ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ରହିବ।

ସେହିପରି ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ବିବାହ ଓ ଅନ୍ତେଷ୍ଟି କ୍ରିୟା ଉପରେ ରହିଥିବା କଟକଣାକୁ ବଳବତ୍ତର ରଖିଛନ୍ତି। ବିବାହ, ବ୍ରତ ଓ ଅନ୍ତେଷ୍ଟି, ଶୁଦ୍ଧି କ୍ରିୟା ଆଦିରେ ଅତିଥି, ବରପକ୍ଷ, କନ୍ୟାପକ୍ଷ ଆଦି ସମସ୍ତଙ୍କୁ ମିଶାଇ ୨୫୦ଜଣ ସାମିଲ ହୋଇପାରିବେ। ବିବାହ ଉତ୍ସବରେ ବ୍ୟାଣ୍ଡ-ବାଜା ଓ ବର ସହିତ ସର୍ବାଧିକ ୫୦ଜଣ ଲୋକ ରୋଷଣୀରେ ଯାଇପାରିବେ। କୋଭିଡ୍ ନିୟମ ମାନି ସମସ୍ତେ ମାସ୍କ ପିନ୍ଧିବେ। ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରିବେ ତାହା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯିବ।

ଏହାଛଡା ମଲ, ସିନେମା ହଲ୍ ଆଦି ଖୋଲା ରହିବ। ସମସ୍ତ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପୂର୍ବ କଟକଣା ବଳବତ୍ତର ରହିବ। ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଗୁଡ଼ିକରେ କେବଳ ସରକାରୀ କାର୍ଯ୍ୟକ୍ରମ ହୋଇପାରିବ। ସମ୍ପୃକ୍ତ ସମ୍ମିଳନୀ କକ୍ଷର ସିଟ୍ କ୍ଷମତା ଅନୁସାରେ ଲୋକେ ସାମିଲ ହୋଇପାରିବେ ଓ ସମସ୍ତଙ୍କୁ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ଏସବୁ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଭାସମିତି ପାଇଁ ଅନୁମତି ଦିଆଯିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button