ଅମରୁଲ୍ଲାଙ୍କ ନେତୃତ୍ୱରେ ଚାଲିବ ଆଫଗାନ ସରକାର

କାବୁଲ : ଆଫଗାନକୁ ବନ୍ଧୁକ ମୁନରେ ଦଖଲ କରିବା ପରେ ତାଲିବାନ ସରକାର ଗଠନ କରିଛି। କିନ୍ତୁ ପୂର୍ବରୁ କ୍ଷମତାରେ ଥିବା ଆଫଗାନିସ୍ତାନର ସରକାର ଏହାକୁ ଅବୈଧ ଘୋଷଣା କରିଛନ୍ତି।ଆଉ ପୂର୍ବତନ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନେତୃତ୍ୱରେ ଆଫଗାନରେ ନିର୍ବାସିତ ସରକାର ଗଠନ କରାଯାଇଥିବା ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ି ପଳାଇଥିଲେ। କିନ୍ତୁ ଅମରୁଲ୍ଲା ସାଲେହ ପଞ୍ଜଶିରରେ ରହି ତାଲିବାନୀଙ୍କ ମୁକାବିଲା କରିଥିଲେ। ନିଜକୁ ଘୋଷଣା କରିଥିଲେ ଆଫଗାନର କାମଚଳା ରାଷ୍ଟ୍ରପତି। ଏବେ ଆଫଗାନ ଦୂତାବାସଗୁଡ଼ିକ ପକ୍ଷରୁ ତାଙ୍କ ନେତୃତ୍ୱରେ ଆଫଗାନର ନିର୍ବାସିତ ସରକାର ଗଠନ ଚାଲିବ ବୋଲି କୁହାଯାଇଛି। ଏ ନେଇ ସ୍ୱିଜରଲାଣ୍ଡରେ ଅବସ୍ଥାପିତ ଆଫଗାନ ଦୂତାବାସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଆଫଗାନ ଦୂତାବାସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଲୋକଙ୍କ ଭୋଟ ଦ୍ୱାରା ଚୟନ ହୋଇଥିବା ସରକାର ହିଁ ଇସଲାମିକ ରିପବ୍ଲିକ ଅଫ ଆଫଗାନିସ୍ତାନରେ ବୈଧ। ଆଉ କୌଣସି ସରକାର ଆଇନଗତ ସିଦ୍ଧ ନୁହେଁ। ବୈଧ ସରକାରର ସ୍ଥାନ କେହି ବଳପୂର୍ବକ ନେଇ ପାରିବେ ନାହିଁ। ଅଶରଫ ଘନିଙ୍କ ପଳାୟନ ଓ ଆଫଗାନ ରାଜନୀତିକୁ ସେ ଅଲବିଦା କହିବା ପରେ ତାଙ୍କର ପ୍ରଥମ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶର ନେତୃତ୍ୱ ନେବେ। ଏବେ ଆଫଗାନ ଉପରେ ବାହ୍ୟ ଶତ୍ରୁର କବଜା ରହିଛି। ଦେଶର ବରିଷ୍ଠ ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରାଯିବା ପରେ ନିର୍ବାସିତ ସରକାର ଗଠନ ସମ୍ପର୍କରେ ଘୋଷଣା କରାଯାଉଛି। କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଆଇନ ପ୍ରଣୟନକାରୀ ସଂସ୍ଥା ଏହି ନିର୍ବାସିତ ସରକାର ଦ୍ୱାରା କାର୍ଯ୍ୟ କରିବ। ଆଫଗାନିସ୍ତାନର ସମସ୍ତ ଦୂତାବାସ ଓ ବାଣିଜ୍ୟିକ ଦୂତାବାସ ପୂର୍ବଭଳି କାର୍ଯ୍ୟକ୍ଷମ ହେବ। ଏହି ବିବୃତିରେ ଅମରୁଲ୍ଲା ସାଲେହଙ୍କ ବ୍ୟତୀତ ନିର୍ବାସିତ ସରକାରର ଅନ୍ୟ ସଦସ୍ୟମାନଙ୍କ ନାଁ ଘୋଷଣା କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *

Back to top button