ଅପମାନ ସହି କଂଗ୍ରେସରେ ରହିପାରିବି ନାହିଁ : କ୍ୟାପ୍ଟେନ୍‌ ଅମରିନ୍ଦର୍‌

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସରେ କନ୍ଦଳ ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ଦଳୀୟ ବିଧାୟକଙ୍କ ଅପ୍ରତ୍ୟାଶିତ ବୈଠକ ଡକାଯାଇଛି। ପୂର୍ବରୁ କଂଗ୍ରେସ ପଠାଇଥିବା ନୋଟିସ୍‌ ପାଇ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର୍‌ ସିଂହ କୁଆଡ଼େ ସୋନିଆ ଗାନ୍ଧୀଙ୍କୁ କହିଛନ୍ତି ଏଭଳି ଅପମାନ ସହି ଦଳରେ ରହିପାରିବେ ନାହିଁ।

ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଦେବା ଲାଗି ଅମରିନ୍ଦରଙ୍କୁ କୁହାଯାଇଛି। ତାଙ୍କ ସ୍ଥାନରେ ନବଜୋତ୍‌ ସିଂହ ସିଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ବହୁସଂଖ୍ୟକ ବିଧାୟକମାନଙ୍କ ଠାରୁ ଆବେଦନ ପାଇଥିବା ଦର୍ଶାଇ ଜରୁରୀ ବୈଠକ ଘୋ‌ଷଣା କରାଯାଉଛି ବୋଲି ଗତ ବିଳମ୍ବିତ ରାତ୍ରୀରେ କଂଗ୍ରେସ ଟୁଇଟ୍‌ କରିଥିଲା। ଅମରିନ୍ଦର୍‌ ସିଂହଙ୍କୁ ହଟାଇ ଦେବା ଲାଗି ପଞ୍ଜାବ ବିଧାୟକମାନେ ଦଳ ଉପରେ ଚାପ ପକାଉଥିବା ବେଳେ ଅମରିନ୍ଦର ସିଂହ ଇସ୍ତଫା ଦେବାକୁ ଚାହୁଁ ନାହାନ୍ତି।

ପଞ୍ଜାବ ଦାୟିତ୍ୱରେ ଥିବା ହରିଶ ରାୱତ୍‌ ରାହୁଲ୍‌ ଗାନ୍ଧୀ, ଅମରିନ୍ଦର ସିଂହ ଓ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଧୁଙ୍କୁ ‘ଟ୍ୟାଗ୍‌’ ପୋଷ୍ଟ୍‌ କରିଥିବା ଟୁଇଟ୍‌କୁ ସେମାନେ ରି-ଟୁଇଟ୍‌ କରିଛନ୍ତି। ଅମରିନ୍ଦର ସିଂହ ଓ ତାଙ୍କର ଦଳୀୟ ପ୍ରତିଦ୍ୱନ୍ଦ୍ୱି ନବଜୋତ୍‌ ସିଂହ ସିଧୁଙ୍କ ମଧ୍ୟରେ ଉପୁଜିଥିବା ବିବାଦର ମଧ୍ୟସ୍ଥତା କରିବାକୁ ଉଦ୍ୟମ କରିବାର ଅଳ୍ପ ଦିନ ପରେ ଏହି ବୈଠକ ଡକାଯିବା ନେତୃତ୍ୱ ପରିବର୍ତ୍ତନର ସଙ୍କେତ ବହନ କରୁଛି ବୋଲି ଶୁଣାଯାଉଛି।

Leave a Reply

Your email address will not be published. Required fields are marked *

Back to top button