ଭୁବନେଶ୍ଵରରେ କିରୁଥିକା ପ୍ରଭାକରନ୍‌ କିଣିଛନ୍ତି ୩୮ଟି ପ୍ଳଟ : ଅପରାଜିତା

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କିରୁଥିକା ପ୍ରଭାକରନ୍‌ ନାମରେ ଜଣେ ବ୍ୟକ୍ତି ୩୮ଟି ପ୍ଲଟ କିଣିଛନ୍ତି। ଏହି ଅଭିଯୋଗ ଆଣିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା ଟୁଇଟ୍‌ କରି ଅଭିଯୋଗ କରିଛନ୍ତି ଖଣି ବ୍ୟବସାୟୀ ପି ପ୍ରଭାକରନଙ୍କ ପତ୍ନୀ କିରୁଥାକି ପ୍ରଭାକରନଙ୍କ ନାଁରେ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ୧୭.୭୪୬ଏକର ବିଶିଷ୍ଟ ଛୋଟ ଛୋଟ ସାଇଜର ୩୮ଟି ପ୍ଲଟ୍ ଓ ପ୍ରଭାକରନଙ୍କ ନାଁରେ ଗୋଟିଏ ପ୍ଲଟକୁ ମିଶାଇ ୩୯ଟି ପ୍ଲଟ ସରକାରୀ ପ୍ରୋତ୍ସାହନରେ କିଣାଯାଇଛି। ଏବେବି ଅଧିକ ପରିମାଣର ଜମି କିଣିବାକୁ ପ୍ରଭାକରନ ପ୍ରୟାସ କରୁଥିବା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକେ ତାଙ୍କୁ ଜଣାଇଛନ୍ତି। ଯଦି ଏଭଳି ଛୋଟ ଛୋଟ ଜମି ଉଚ୍ଚସ୍ତରର ପ୍ରଭାବଶାଳୀଙ୍କ ସହାୟତାରେ କିଣାଯିବ ତା’ହେଲେ ଓଡ଼ିଶାର ଚାଷୀମାନେ କ’ଣ ଛତିଶଗଡ଼ ଓ ଝାଡ଼ଖଣ୍ଡ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରାଜିତା କହିଛନ୍ତି ଭୁବନେଶ୍ୱରରେ ଏଭଳି ଜମି କ୍ରୟ କରୁଥିବା ଅଣଓଡ଼ିଆଙ୍କୁ ଆମେ ପ୍ରତିରୋଧ କରିବାର ସମୟ ଆସିଯାଇଛି। ସେ ଦେଇଥିବା ତଥ୍ୟ ଅନୁସାରେ ପ୍ରଭାକରନଙ୍କ ନାଁରେ ଘାଟିକିଆରେ ୭୯ଡିସିମିଲ୍ ଜମି ଥିବାବେଳେ ତାଙ୍କ ପତ୍ନୀ କିରୁଥାକିଙ୍କ ନାଁରେ ବାପୁଜୀ ନଗର, ଚନ୍ଦ୍ରଶେଖରପୁର, ସୁନ୍ଦରପୁର, ପଦାସାହି, ଜୁଝାଗଡ଼, ପଥରଗାଡ଼ିଆ, ଦାରୁଠେଙ୍ଗ, ଭାଗବତୀପୁର ଓ ଗିରିଙ୍ଗପୁଟ ମୌଜାରେ ଏସବୁ ଜମି କ୍ରୟ ହୋଇଛି। ଏହାଛଡା ଭଗବତୀପୁରଠାରେ ସର୍ବାଧିକ ୬ଟି ସ୍ଥାନରେ ପ୍ରାୟ ୧୨ ଏକରରୁ ଅଧିକ ଜମି କ୍ରୟ ହୋଇଛି।

ସେହିପରି ଏୟାରପୋର୍ଟ ନିକଟରେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ୨୨୮ ଡେସିମିଲ୍ ଜମିକୁ ହୃଷିକେଶ ଦାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୬.୪୫ କୋଟି ଟଙ୍କାରେ କିରୁଥାକି ପ୍ରଭାକରନ କ୍ରୟ କରି ସେଠାରେ ଏକ ହୋଟେଲ ନିର୍ମାଣ କରୁଥିଲେ। ଏହାକୁ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ପରେ ଜମି କିଣାବିକାକୁ ବୋର୍ଡ ଅଫ ରେଭନ୍ୟୁ ରଦ୍ଦ କରି ପୁରୁଣା ଖାତାକୁ ଫେରାଇ ନେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମହାପ୍ରଭୁ ଲିଙ୍ଗରାଜଙ୍କ ରେକର୍ଡକୁ ଫେରିନଥିବା ଜଣାପଡ଼ିଛି। କିଣାବିକା ସମୟରେ ଏହି ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ସମ୍ପତ୍ତି ନୁହେଁ ବୋଲି ପ୍ରଭାକରନଙ୍କ ପତ୍ନୀ ଏକ ସତ୍ୟପାଠ ଦାଖଲ କରିଥିଲେ। ମିଥ୍ୟା ସତ୍ୟପାଠ ଦାଖଲ ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ ଏବେ ସେହି ପୂର୍ବଭଳି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button