ବରଗଡ଼ : ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ବରଗଡ଼ : ବରଗଡ଼ ଟାଉନ୍‌ ଥାନା ପୋଲିସ ରାତି ଅଧିଆ ଉଠାଇ ନେଇଥିବା ଜଣେ ଯୁବକର ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଓ ପୋଲିସ ମୁହାଁମୁହିଁ ହୋଇଥିବା ବେଳେ ବରଗଡ଼ ଡାକ୍ତରଖାନା ଓ ଗାନ୍ଧି ଛକ ଆଜି ରଣକ୍ଷେତ୍ର ପାଲଟିଛି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଜୁଲାଇ ମାସରେ ଘଟିଥିବା ଏକ ମାରପିଟ୍‌ ଘଟଣାରେ ପୋଲିସ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କୁ ଶୁକ୍ରବାର ରାତିରେ ଉଠାଇ ନେଇଥିଲା। ଆଜି ଭୋରରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ପୁରୁଣା ଡାକ୍ତରଖାନା ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଛନ୍ତି। ଏହି ଖବର ପ୍ରଚାରିତ ହେବାରୁ ଉତ୍ତେଜନା ପ୍ରକାଶ ପାଇବା ସହିତ ମେଡିକାଲ୍‌ରେ ଲୋକେ ଭଙ୍ଗାରୁଜା କରିଥିଲେ। ଗୋବିନ୍ଦଙ୍କୁ ପୋଲିସ ପିଟି ପିଟି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ଗୋବିନ୍ଦଙ୍କ ସ୍ତ୍ରୀ ଅଭିଯୋଗ କରିଥିବା ବେଳେ ପୋଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗୋବିନ୍ଦଙ୍କ ଭାଇ ଜିତେନ୍ କୁମ୍ଭାର। କେବେଳ ସେତିକି ନୁହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସାତ ମହଲା କୋଠା ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିଲେ।

ସେହିପରି ପୋଲିସ ଗୋବିନ୍ଦଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଛଡ଼ାଇ ନେଇ ଏସ୍‌ପିଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଉଥିଲେ। ଏହି ସମୟରେ ଗାନ୍ଧି ଛକରେ ସେମାନଙ୍କର ପୋଲିସ ସହ ମୁହାଁମୁହିଁ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୋଲିସ ଲାଠି ଚାର୍ଜ କରିଥିଲା। ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବାରୁ ସେମାନେ ଛତ୍ରଭଙ୍ଗ ଦେଇଥି ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *

Back to top button