ଶିଶୁ ଅଦଳବଦଳ ଡିଏନ୍ଏ ରିପୋର୍ଟ : ପୁଅ ନୁହେଁ ଝିଅ ହୋଇଥିଲା
ଭୁବନେଶ୍ଵର : ରାଜଧାନୀ କ୍ୟାପିଟାଲ ହସ୍ପିଟାଲ ଶିଶୁ ଅଦଳବଦଳର ଡିଏନ୍ଏ ରିପୋର୍ଟ ସ୍ପଷ୍ଟ କରିଛି ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ପୁଅ ନୁହେଁ ଝିଅ ହୋଇଥିଲା।
ଖବର ଅନୁଯାୟୀ ଗତ ସେପ୍ଟେମ୍ବର ୨୬ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଥିଲା। ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ପତ୍ନୀଙ୍କର ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ। କିନ୍ତୁ ତାଙ୍କୁ ହସ୍ତାନ୍ତର କରାଗଲା କନ୍ୟା ସନ୍ତାନ। ଏନେଇ ସେ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ନିର୍ଦ୍ଦେଶକ କହିଥିଲେ ଏହି ଘଟଣାର ଡିଏନଏ ଟେଷ୍ଟ କରାଯିବ। କୋର୍ଟ ଅନୁମତି ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଗତ ସୋମବାର ଦିନ ମା’ ଓ ଝିଅର ଡିଏନ୍ଏ ନମୁନା ନେଇଥିଲେ। ଏହାର ରିପୋର୍ଟ ଆସିଲା ପରେ ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ଝିଅ ହୋଇଥିଲା ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି।