ବିଏମସି ଅଞ୍ଚଳରେ ଆବର୍ଜନା ଏଣେ ତେଣେ ପଡ଼ିଲେ ଆଦାୟ ହେବ ଜରିମାନା

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵର ପାଲଟିଛି ଡେଙ୍ଗୁ ହଟସ୍ପଟ। ବଢୁଛି ରୋଗୀଙ୍କ ସଂଖ୍ୟା ବଢି ଏକ ହଜାର ଟପିଲାଣି। ଏହାକୁ ରୋକିବା ପାଇଁ ଭୁବନେଶ୍ଵର ମହାନଗର ନିଗମ ବା ବିଏମସି କଠୋର ପଦକ୍ଷେପ ନେଇଛି। ନିଷ୍ପତ୍ତି ନେଇଛି ମଶା ବୃଦ୍ଧି ପାଇଁ ପରିବେଶ ଅନୁକୂଳ ହେଉଥିଲେ ଜରିମାନା ଆଦାୟ କରାଯିବ। ସାଧାରଣ ଲୋକେ ଏକ ହଜାରେ ଓ ବ୍ୟବସାୟିକ ସଂସ୍ଥା ଦେବେ ୫ ହଜାର ଟଙ୍କା ଜରିମାନା। ସ୍ୱାଧୀନତା ଦିବସ ପରଠାରୁ ଏହି ନିୟମ କଡାକଡି ହେବ ।
ଖବର ଅନୁଯାୟୀ ବିଏମସି ଅଞ୍ଚଳରେ ଘର, ଦୋକାନ ବା ବ୍ୟବସାୟିକ ପ୍ରତିଷ୍ଠାନ ପରିସରରେ ପଡୁଥିବା ପଇଡ଼ ଖୋଳ, ପୁରୁଣା ଟାୟାର, ଫୁଲକୁଣ୍ଡ ଆଦି ଡେଙ୍ଗୁର ଉତ୍ପତିସ୍ଥଳ ପାଲଟିଛି। ଏଥିରେ ପାଣି ଜମି ରହିବା କାରଣରୁ ଡେଙ୍ଗୁ ମଶାର ବଂଶବୃଦ୍ଧି ଘଟୁଛି। ସେଥିପାଇଁ ଡେଙ୍ଗୁ ପାଇଁ ଅନୁକୂଳ ପରିବେଶ ସୃଷ୍ଟିକଲେ ଏଣିକି ତଣ୍ଡ ଗଣିବେ ବୋଲି ବିଏମସି ସତର୍କ କରାଇ ଦେଇଛି। ସ୍ୱାଧୀନତା ଦିବସ ପରଠୁ ଭୁବନେଶ୍ୱର ମହାନଗର ନିଗମ ଏହି ନୂଆ ନିୟମ ଲାଗୁ କରିବ। ସପ୍ତାହକ ପରେ ଯଦି ଘର ପରିସରରେ ଆବର୍ଜନା ଏଣେ ତେଣେ ପଡ଼ିଥବ ତେବେ ଧାର୍ଯ୍ୟ ହୋଇଥିବା ଜରିମାନ ଆଦାୟ କରାଯିବ।