ଅକ୍ଟୋବର ୨ରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ଵର : ଚଳିତବର୍ଷ ବିଜୁ ଜନତା ଦଳ ଅକ୍ଟୋବର ୨ ତାରିଖ ‘ଗାନ୍ଧି ଜୟନ୍ତୀ’ଠାରୁ ଅକ୍ଟୋବର ୧୧ ଲୋକପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ‘ଜନସମ୍ପର୍କ ପଦଯାତ୍ରା’ ପାଳନ କରିବ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମସ୍ତ ଛାମୁଆ ସଂଗଠନର ରାଜ୍ୟ, ଜିଲ୍ଲା ଓ ବ୍ଲକ ସଭାପତିଙ୍କ ସମେତ ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକ ଓ ଦଳୀୟ ରାଜ୍ୟ କର୍ମକର୍ତ୍ତାମାନଙ୍କୁ ଏନେଇ ଚିଠି ଲେଖି ଜଣାଇଛନ୍ତି।

ଖବର ଅନୁଯାୟୀ ଅକ୍ଟୋବର ୧୨ରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଜିଲ୍ଲା ପରିଷଦ ଜୋନସ୍ତରୀୟ ଓ ପୌରାଂଚଳସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଂଚାଯିବ ବୋଲି ନବୀନ କହିଛନ୍ତି। ସେହିପରି ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ ମଧ୍ୟ କରାଯିବ।

ସେହିପରି ଡିସେମ୍ବର ୨୬ରେ ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯିବ। ଏହି ଅବସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ। ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନେ ତଦାରଖ କରିବେ। ଏହି ସାଂଗଠନିକ କାର୍ଯ୍ୟକ୍ରମରେ ଦଳର ସବୁ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସମେତ ପଂଚାୟତ ଓ ପୌର ନିର୍ବାଚିତ ଲୋକପ୍ରତିନିଧି, ବିଧାୟକ ଓ ସାଂସଦମାନେ ସାମିଲ ହେବା ପାଇଁ ନବୀନ ନିର୍ଦ୍ଦେଶ ଦେବା ସହ ସବିଶେଷ ବିବରଣୀ ତାଙ୍କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଓଡ଼ିଶାର ବିକାଶକୁ ଶୀର୍ଷସ୍ଥାନକୁ ନେବା ପାଇଁ ସଂକଳ୍ପ ନେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button