ନିର୍ବାଚନ : ବିଜେଡି ନେତାଙ୍କୁ ଗ୍ରୀନ୍ ସିଗନାଲ

ଭୁବନେଶ୍ଵର : ୨୦୨୪ରେ ହେବ ସାଧାରଣ ନିର୍ବାଚନ। ଏଥିପାଇଁ ରାଜନୈତିକ ଦଳଗୁଡିକ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏସବୁ ଆଗୁଆ ନିର୍ବାଚନର ସୂଚନା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଓଡିଶା ମଧ୍ୟ ଏ କ୍ଷେତ୍ରରେ ପଛରେ ଥିବାପରି ମନେହୁଏନି। ଏହି ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ମୁଖିଆମାନଙ୍କ ତତ୍ପରତା ସେପରି କିଛି ସନ୍ଦେଶ ଦେଉଛି। କିନ୍ତୁ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ବା ବିଜେଡିର ରଣନୀତି ସମସ୍ତଙ୍କ ଆଗରେ ରହିଛି। କାରଣ ଅକ୍ଷୟ ତୃତୀୟାରୁ ରଥଯାତ୍ରା ମଧ୍ୟରେ ୭୯ଜଣ ନେତାଙ୍କୁ ନିର୍ବାଚନ ପାଇଁ ଗ୍ରୀନ୍ ସିଗନାଲ ଦିଆଯାଇଥିବା ଆଲୋଚନା ହେଉଛି। ଯାହାକୁ ନେଇ ପ୍ରଶ୍ନ ଉଠୁଛି। କୁହାଯାଉଛି ଏ ସମସ୍ତଙ୍କୁ କ’ଣ ଦଳ ପ୍ରାର୍ଥୀ କରିବ ? ତା’ହେଲେ କେଉଁମାନେ ବାଦପଡିବେ ? କେଉଁ ଆଧାରରେ ହେବ ପ୍ରାର୍ଥୀ ଚୟନ ? ଦକ୍ଷତା ନା ଆନୁଗତ୍ୟ ?

ଖବର ଅନୁଯାୟୀ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିଚାଲିଛି। ଯାହାର ପ୍ରତିଫଳନ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ଦେଖିବାକୁ ମିଳିଥିଲା। ଦୁଇଟି ଜିଲ୍ଲାର ବିଜେଡି ସଭାପତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ବିରୋଧରେ ସ୍ଵର ଉଠାଇଥିଲେ। ଏମାନେ ବିଧାୟକ ସୁଶାନ୍ତ ସିଂଙ୍କୁ ସମର୍ଥନ ଜଣାଇ ଗଣମାଧ୍ୟମରେ ମତ ରଖିଥିଲେ। ଯାହାକୁ ଅତୀତରେ ଦଳବିରୋଧୀ ବୋଲି ବିବେଚନା କରାଯାଉଥିଲା। ହେଲେ ଏଥର ସେପରି ହେଲାନି। କାର୍ଯ୍ୟାନୁଷ୍ଠାନ ମଧ୍ୟ ଶୁନ୍। ଏ କେବଳ ଗୋଟିଏ ଘଟଣା ନୁହେଁ ବରିଷ୍ଠଙ୍କୁ ଅପମାନିତ କରିବାପରି ଅନେକ ରହିଛି। ଯାହାକୁ ନେଇ ଦଳରେ ଅସନ୍ତୋଷ ବଢୁଛି। ଅସନ୍ତୁଷ୍ଟମାନେ ସୁଯୋଗକୁ ଅପେକ୍ଷା କରିଥିବା ବେଳେ ଲୋକେ କହୁଛନ୍ତି ବିଜେଡି ଅନୁଶାସନ ହୁଗୁଳି ଗଲାଣି।

ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ବିଜେଡି ସୁପ୍ରିମୋ ଅକ୍ଷୟ ତୃତୀୟାରୁ ଦଳୀୟ ଟିକେଟ୍ ଆଶାୟୀ କିଛି ବିଧାୟକ ଓ ନେତାଙ୍କୁ ନବୀନ ନିବାସ ଡାକି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ଅଧିକ ଭୋଟ ବ୍ୟବଧାନରେ କିପରି ଜିତିବେ ସେଥିପାଇଁ ପ୍ରଚେଷ୍ଟା ଜାରି ରଖିବାକୁ କୁହାଯାଉଛି। ଯେଉଁମାନେ ନବୀନନିବାସରୁ ଫେରୁଛନ୍ତି ସେମାନେ ଧରିନେଲେଣି ତାଙ୍କର ଟିକେଟ୍ କଟିବାର ନାହିଁ। ଶଙ୍ଖ ଭବନ ଉଦଘାଟନ ଦିନ ୪୫ଜଣ ବିଧାୟକ, ମେ’ ଶେଷ ସପ୍ତାହରେ ୧୩ଜଣ ଓ ରଥଯାତ୍ରା ଓ ତା’ପରଦିନ ୨୧ଜଣ ବିଧାୟକ ଓ ନେତାଙ୍କୁ ନବୀନ ନିବାସ ଡକାଯାଇଥିବା ଆଲୋଚନା ହେଉଛି।

ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ବିଜୁ ଜନତା ଦଳରେ ଏକାଧିକ ଟିକେଟ ଆଶାୟୀ। ତେଣୁ ଗୋଷ୍ଠୀକନ୍ଦଳ ବଢିବ ସ୍ଵାଭାବିକ। ସେହିକ୍ରମରେ ଦେଖିବାକୁ ଗଲେ କୌଣସି କାରଣକୁ ନେଇ ପୁରୀ, ସମ୍ବଲପୁର, ନୟାଗଡ଼, ସୁନ୍ଦରଗଡ଼, ଜଗତସିଂହପୁର ଝାରସୁଗୁଡ଼ା, କଟକ, ବଲାଙ୍ଗିର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ଅସନ୍ତୋଷ ତେଜୁଛି। ଏହି ବର୍ଗର ନେତା କରୁଛନ୍ତି ସମାନ୍ତରାଳ ସଂଗଠନ। ଯାହା ଦଳୀୟ ବିଶୃଙ୍ଖଳାକୁ ପଦାରେ ପକାଉଛି। ସେହିପରି ଭିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ବିଜେଡି ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିବ ତାହା ଦଳର ସୁପ୍ରିମୋ ନବୀନଙ୍କୁ ଜଣା। ଯେଉଁମାନେ ପ୍ରତିଶ୍ରୁତି ପାଇ ଉତ୍ସାହିତ ସେମାନେ ଭାଣ୍ଡିଆ ହେବାକୁ ମଧ୍ୟ ପ୍ରସ୍ତୁତ ରହିବା ଆବଶ୍ୟକ। ବିଜେଡ଼ିର ସମ୍ବଳ ମହିଳା ଭୋଟ। ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଗୁରୁତ୍ଵ ଦିଆଯାଉଛି। ଏହି ଭୋଟ ହାତେଇବା ପାଇଁ ଅଧିକ ସଂଖ୍ୟକ ମହିଳାଙ୍କୁ ଦଳ ପ୍ରାର୍ଥୀ କରିପାରେ। ଏହାଦ୍ଵାରା ଦଳକୁ ଦୁଇଟି ଫାଇଦା ମିଳିବ। ପ୍ରଥମତଃ ମହିଳାଙ୍କୁ ବିଜେଡି ଗୁରୁତ୍ଵ ଦିଏ ବୋଲି ପ୍ରଚାର କରାଯିବ। ଦ୍ଵିତୀୟ ହେଲା ଅଧିକସଂଖ୍ୟକ ମହିଳା ସଦସ୍ୟ ବିଧାସଭାକୁ ଆସିଲେ ଏହା ନବୀନଙ୍କ ପାଇଁ ଲାଭଦାୟକ ହେବା ସହିତ ଦଳୀୟ ଶୃଙ୍ଖଳା ବଜାୟ ରହିବ ବୋଲି ସେମାନେ ମତ ଦେଇଛନ୍ତି।

ସୂଚନାଯୋଗ୍ୟ ୧୪୭ ଆସନ ବିିଶିଷ୍ଟ ଓଡ଼ିଶା ବିଧାନସଭା ନିର୍ବାଚନ ୨୦୧୯ରେ ବିଜେଡିକୁ ମିଳିଥିଲା ୪୪.୭ ପ୍ରତିଶତ ଭୋଟ୍। ସେହିପରି ବିଜେପି ୩୨.୫ ପ୍ରତିଶତ ଓ କଂଗ୍ରେସକୁ ୧୬.୧ ପ୍ରତିଶତ ଭୋଟ୍ ପାଇଥିଲା। ୨୦୨୪ ନିର୍ବାଚନରେ ପଶ୍ଚିମଓଡ଼ିଶା ଉପରେ ରହିବ ବିଜେଡିର ଫୋକସ। ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ପ୍ରାର୍ଥୀ ହୋଇପାରନ୍ତି। ଏଥିପାଇଁ ରଣନୀତି ପ୍ରସ୍ତୁତ ହେଲାଣି ବୋଲି କୁହାଯାଉଥିବା ବେଳେ ଏହାକୁ ସଂପୂର୍ଣ୍ଣ ଏଡାଇ ଦେଇହେବନି। ସଫଳତା ମିଳୁ କିମ୍ବା ନମିଳୁ କ୍ଷମତା ପାଇଁ ସବୁକିଛି କରାଯାଇପାରେ ଏଥିରେ ଦ୍ଵିମତ ନାହିଁ।

Leave a Reply

Your email address will not be published. Required fields are marked *

Back to top button