ରାଜ୍ୟ ସରକାର ପିଏମ୍‌ଶ୍ରୀ ସ୍କୁଲ ଯୋଜନାକୁ ତୁରନ୍ତ ଲାଗୁ କରନ୍ତୁ : ସୋନାଲି ସାହୁ

ଭୁବନେଶ୍ୱର : ଓଡିଶାରେ ଶିକ୍ଷା ବ୍ୟବସ୍ଥା ଦିଗହରା। ପିଲାମାନେ ମୌଳିକ ଅଧିକାରରୁ ବଂଚିତ। ରାଜ୍ୟ ସରକାର ୨୦୧୭ରେ ‘ମୋ ସ୍କୁଲ’ର ପରିକଳ୍ପନା କରିଥିଲେ। ସବୁ ସ୍କୁଲର କାନ୍ଥ ବାଡରେ “ଆମେ ପଢିବୁ, ଗଢିବୁ, ଶ୍ରେଷ୍ଠ ହେବୁ” ବୋଲି ସ୍ଲୋଗାନ ଲେଖାଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏଥିପାଇଁ ଯାହା ଆବଶ୍ୟକ ତାହା ପୂରଣ କ୍ଷେତ୍ରରେ ସରକାର ପଛୁଆ। ଫଳରେ କେଉଁଠି ପିଲାମାନେ ଗଛ ମୂଳେ ପାଠ ପଢୁଥିବାର ଦେଖାଯାଉଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ କହିଛନ୍ତି।

ଖବର ଅନୁଯାୟୀ ଶ୍ରୀମତୀ ସାହୁ କହିଲେ ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ମୁତାବକ ଶିକ୍ଷକ ନାହାଁନ୍ତି। ରାଜ୍ୟର ୪୬ ହଜାର ସ୍କୁଲରୁ ୧୯ହଜାର ସ୍କୁଲରେ ହେଡ୍‌ମାଷ୍ଟର ନଥିବା ବେଳେ ୮ହଜାର ସ୍କୁଲରେ ୧୨ହଜାର ସହାୟକ ଶିକ୍ଷକ ନାହାଁନ୍ତି। ୩୦ହଜାର ସ୍କୁଲରେ କମ୍ପ୍ୟୁଟର କିମ୍ବା କମ୍ପ୍ୟୁଟର ଶିକ୍ଷକ ନାହାଁନ୍ତି। ୨୦ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ବିଜୁଳି ସଂଯୋଗ ଓ ୪୦ ହଜାର ସ୍କୁଲର ଖେଳ ପଡିଆ ନାହିଁ। ପ୍ରାୟ ୧୦ ହଜାର ସ୍କୁଲରେ ଶୌଚାଳୟ ନାହିଁ। ବିଜ୍ଞାନ ଓ ସଂସ୍କୃତ ଶିକ୍ଷକଙ୍କ ଦେଖିବାକୁ ମିଳୁନି। ରାଜ୍ୟରେ ୨୦୦ପିଲାରେ ଜଣେ ଶିକ୍ଷକ। ସେଥିରୁ ଅଧେଦିନ ଭୁବନେଶ୍ୱରର ପିଏମ୍‌ଜି ଛକରେ ଧାରଣା ଦେବାରେ ଯାଉଛି। ପଢ଼େଇବ କିଏ ? ୧୦୦ଜଣ ଶିକ୍ଷକଙ୍କ ମଧ୍ୟରୁ ୨୨ଜଣ ମାଷ୍ଟର ସରକାରଙ୍କର ବିଭିନ୍ନ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ପ୍ରାୟ ୬୨ପ୍ରତିଶତ ସ୍କୁଲରେ ତାଲିମପ୍ରାପ୍ତ ରୋଷେୟା ନାହାଁନ୍ତି। ୫୦ପ୍ରତିଶତରୁ ଅଧିକା ସ୍କୁଲରେ କାଉନସେଲର୍ ନାହାଁନ୍ତି।

ସେ କହିଲେ ସିଏଜି ରିପୋର୍ଟ ଅନୁସାରେ ୮ଟି ଆକାଂକ୍ଷିତ ଜିଲ୍ଲାରେ ୨୦୧୫-୧୬ରେ ୪୫ପ୍ରତିଶତ ପିଲା ରକ୍ତହୀନତାର ଶିକାର ହୋଇଥିବା ବେଳେ ୨୦୨୧-୨୨ରେ ତାହା ୬୫ ପ୍ରତିଶତରେ ପଂହଚିଛି। ଏଥିରେ ପିଲା କେମିତି ପଢ଼ିବେ, ବଢ଼ିବେ ଓ ଶ୍ରେଷ୍ଠ ହେବେ ? ସେହି ୮ଟି ଆକାଂକ୍ଷିତ ଜିଲ୍ଲାରେ ୯୪ହଜାର ପିଲା ସମ୍ପୂର୍ଣ୍ଣ ଅସୁରକ୍ଷିତ। ସେହିପରି ୨୦୨୩ ମାର୍ଚ୍ଚ ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ୫ଲକ୍ଷ ୩୨ହଜାର ୭୪୯ ଛାତ୍ରଛାତ୍ରୀ ଫର୍ମ ଫିଲପ କରିଥିଲେ ହେଁ ସେଥିରୁ ୯୦ହଜାର ୨୯ଜଣ ପରୀକ୍ଷା ଦେଇପାରି ନଥିଲେ। ଏହି ଡ୍ରପାଉଟ୍‌ର କାରଣ ଚାଇଲ୍ଡ ଲେବର। ଏହି ସଂଖ୍ୟା ଓଡିଶାରେ ବଢି ଚାଲିଛି। ଏନ୍‌ସିଆରବି ରିପୋର୍ଟ ଅନୁସାରେ ପ୍ରତିଦିନ ରାଜ୍ୟରୁ ୧୧ଜଣ ଶିଶୁ ନିଖୋଜ ହେଉଛନ୍ତି। ସେମାନେ କୁଆଡେ ଗଲେ, କ’ଣ କରୁଛନ୍ତି ସେମାନଙ୍କ ବିଷୟରେ ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ।

ସେ କହିଲେ ପିଏମ୍‌ଶ୍ରୀ ସ୍କୁଲ ଯୋଜନାରେ ପ୍ରତି ବ୍ଲକରେ ସର୍ବାଧିକ ୨ଟି ପିଏମ୍‌ଶ୍ରୀ ବିକଶିତ କରାଯିବାର ବ୍ୟବସ୍ଥା ରହିଛି। ଏହାକୁ ଓଡିଶାରେ ଲାଗୁ ନକରିବା ଦ୍ୱାରା ପ୍ରାୟ ୬୨୮ଟି ଆଧୁନିକ ବିଦ୍ୟାଳୟ ରାଜ୍ୟ ହରାଇଲା। ଏହି ଯୋଜନାରେ ଅନେକ ସୁବିଧା ସୁଯୋଗ ରହିଛି। ତେଣୁ ରାଜ୍ୟ ସରକାର ରାଜନୈତିକ ହୀନ ଉଦ୍ଦେଶ୍ୟ ଛାଡି ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ପିଏମ୍‌ଶ୍ରୀ ସ୍କୁଲ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ପାଇଁ ଙ୍କ ପାଖରେ ଶ୍ରୀମତୀ ସାହୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button