ରାଜ୍ୟର ମା’ ଓ ଭଉଣୀଙ୍କ ଆକ୍ରୋଶକୁ ଜନ ଆନ୍ଦୋଳନର ରୂପ ଦେବ ବିଜେପି ମହିଳାମୋର୍ଚ୍ଚା

ଭୁବନେଶ୍ୱର : ରାଜ୍ୟରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ସେମାନଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଦି ସରକାରଙ୍କ ବିଭିନ୍ନ ମହିଳାକଲ୍ୟାଣକାରୀ ଯୋଜନାର ସଫଳ କ୍ରିୟାନ୍ୱୟନ ଓ ରାଜ୍ୟରେ ବଢ଼ୁଥିବା ମହିଳା ନିର୍ଯ୍ୟାତନା-ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନିଷ୍ପତ୍ତି ହୋଇଛି ମା’ ଓ ଭଉଣୀଙ୍କ ଆକ୍ରୋଶକୁ ବିଜେପି ଜନ ଆନ୍ଦୋଳନର ରୂପ ଦେବ।

ଖବର ଅନୁଯାୟୀ ରବିବାର ବୈଠକ ପରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି। ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଓ ନିର୍ଯ୍ୟାତନା ବୃଦ୍ଧି ପାଉଥିବାବେଳେ ଦଣ୍ଡବିଧାନ ହାର ନୌରାଶ୍ୟଜନକ। ମୋଦିଜୀ “ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା”ରେ ଦେଶର ଗର୍ଭବତୀ ମହିଳା ଓ ଶିଶୁମାନେ କିଭଳି ଉପକୃତ ହେବେ ସେ ନେଇ ପ୍ରାଥମିକତା ଦେଉଥିବାବେଳେ ଓଡ଼ିଶା ରାଜ୍ୟରେ ଏକ ତୃତୀୟାଂଶ ମହିଳା ରକ୍ତହୀନତାର ପୀଡିତ। ଆଦିବାସୀ ବିଦ୍ୟାଳୟମାନଙ୍କର କନ୍ୟାଶ୍ରମରେ ନାବାଳିକାମାନେ ଗର୍ଭବତୀ ହେବା ଆହୁରି ଏକ ଲଜ୍ଜ୍ୟାଜନକ ଓ ସମ୍ବେଦନଶୀଳ ଘଟଣା। ମୋଦି ସରକାରଙ୍କ ଦୀନଦୟାଲ ଅନ୍ତଦ୍ୟୋୟ ଯୋଜନାରେ ଜାତୀୟ ଗ୍ରାମୀଣ ଆଜୀବିକା ମିଶନରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସଂପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ କେନ୍ଦ୍ର ସରକାର ୭ ପ୍ରତିଶତ ସୁଧ ବହନ କରୁଛନ୍ତି। ବଳକା ୪ ପ୍ରତିଶତ ସୁଧ ବହନ କରୁଥିବା ରାଜ୍ୟର ବିଜେଡି ସରକାର ଏସ୍‌ଏଚଜି ମା’ମାନଙ୍କୁ ବିନା ସୁଧରେ ଋଣ ଦେଉଛନ୍ତି ବୋଲି ମିଛ ବାଃ ବାଃ ନେଉଛନ୍ତି।

ସେ କହିଲେ ଗଣଦୁଷ୍କର୍ମ ପୀଡିତା ଆଦିବାସୀ ଛାତ୍ରୀଙ୍କୁ ନ୍ୟାୟ, କଲେଜ ଛାତ୍ରୀଙ୍କୁ ନିଶା ନଦେବା, ମହିଳାଙ୍କୁ ଅଣଦେଖା ନକରିବା ଓ ଅପପୃଷ୍ଟିର ସୁଧାର ପାଇଁ ରାଜ୍ୟ ସରକାର ସୁବ୍ୟବସ୍ଥା କରନ୍ତୁ। ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳା ବିରୋଧ ହିଂସାରେ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଛି, ଯାହାକି ରାଜ୍ୟ ସରକାରଙ୍କ ମହିଳାବିରୋଧୀ ମନୋଭାବକୁ ସ୍ପଷ୍ଟ କରିଛି। ରାଜ୍ୟର ମାଁ ଓ ଭଉଣୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଜଳାଞ୍ଜଳୀ ଦେଇଥିବା ବିଜେଡି ସରକାର ବିରୁଦ୍ଧରେ ମହିଳାମୋର୍ଚ୍ଚା ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ଓ ଆନ୍ଦୋଳନ କରିବ। ଏପରିକି ଆବଶ୍ୟକ ପଡିଲେ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହେବ। ସର୍ବୋପରି ସୁସ୍ଥ ଭାରତ, ସଶକ୍ତ ଭାରତରେ କେହି ଅପପୁଷ୍ଟିରେ ଶିକାର ହେବେ ନାହିଁ। ପୋଷଣ ଯୋଜନା ସହିତ ଅନ୍ୟ ସମସ୍ତ ଯୋଜନା ଯାହା ମହିଳାମାନଙ୍କ ହିତରେ ଉଦ୍ଦିଷ୍ଟ ଏହା କେତେ ମାତ୍ରାରେ ଅଗ୍ରାଧିକାର ହେଉଛି ମହିଳାମୋର୍ଚ୍ଚା ଆଗାମୀ ଦିନମାନଙ୍କରେ ଅଙ୍ଗନୱାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଯାଇ ତଦାରଖ କରିବା ସହ ଏହାକୁ “ଜନ ଆନ୍ଦୋଳନ”ର ରୂପଦେବ ବୋଲି ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି। ଏହି ବୈଠକରେ ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଷ୍ଟ୍ରୀୟ ସମ୍ପାଦିକା ଆରତୀ ସିଂ, ପୂର୍ବତନ ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସମେତ ସମସ୍ତ ଜିଲ୍ଲାର ମହିଳା ମୋର୍ଚ୍ଚା ସଭାନେତ୍ରୀ, ପଦାଧିକାରୀ ଓ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button