କେନ୍ଦ୍ରାପଡ଼ା କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ମନ୍ତ୍ରୀଙ୍କ ଭୂମିକା ନେଇ ବିଜେପି ପ୍ରଶ୍ନ ଉଠାଇଲା

ଭୁବନେଶ୍ଵର : କେନ୍ଦ୍ରାପଡ଼ା କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ରାଜ୍ୟର ଦୁଇ ମନ୍ତ୍ରୀଙ୍କ ଭୂମିକାକୁ ନେଇ ରାଜ୍ୟ ବିଜେପି ପ୍ରଶ୍ନ ଉଠାଇଛି। ସରଜମିନ୍ ତଦନ୍ତ କରି ଫେରିବା ପରେ ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅତନୁ ସବ୍ୟସାଚୀ ନାୟକଙ୍କ ଘନିଷ୍ଠ ସହଯୋଗୀମାନଙ୍କ ଦ୍ୱାରା ସମ୍ପୃକ୍ତ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି।
ରାଜ୍ୟ ବିଜେପି ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିଥିଲା। ଆଜି ସାମ୍ବାଦିକ ସମ୍ମିଳନୀରେ ଏଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ୧୭ ତାରିଖରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏନେଇ କଲେଜ୍ କର୍ତ୍ତୃପକ୍ଷ କିଛି ପଦକ୍ଷେପ କାହିଁକି ନେଇନାହାଁନ୍ତି। ଏହି ନାବାଳିକା ଦୁଷ୍କର୍ମ ଛାତ୍ରୀ ଭଳି ଅନ୍ୟ ଛାତ୍ରୀଙ୍କୁ ଖରାପ କାର୍ଯ୍ୟରେ ଲିପ୍ତ ରଖାଯାଉନି ତ ? କଲେଜରେ ଆଂଟି ହାରସ୍ମେଂଟ୍ ସେଲ୍ କିମ୍ବା ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ନାହିଁ। ୟୁଜିସି ଅନୁଦାନରେ ୨୦୦ ବେଡ୍ ବିଶିଷ୍ଟ ହଷ୍ଟେଲ ୨ବର୍ଷ ହେଲା ନିର୍ମାଣ ହୋଇସାରିଛି। କିନ୍ତୁ ଛାତ୍ରୀମାନଙ୍କୁ ସେଠାରେ ସୁରକ୍ଷିତ ଭାବେ ରଖିବାର ବ୍ୟବସ୍ଥା ହୋଇନି।
ଏହି ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସାହୁ ଓ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। କିନ୍ତୁ ଗଣଦୁଷ୍କର୍ମ ପଛରେ ଆହୁରି ଅନେକଙ୍କ ସଂପୃକ୍ତି ଅଛି। ବିଜୁ ଜନତା ଦଳର ନେତାଙ୍କ ସହ ସୂର୍ଯ୍ୟକାନ୍ତଙ୍କ କ’ଣ ସମ୍ପର୍କ ତାହା ବିଜେଡି ସ୍ପଷ୍ଟ କରିବା ଉଚିତ୍ ନହେଲେ ଓଡ଼ିଶାରେ ନିରୀହ ଝିଅମାନେ ଏମିତି ବଳି ପଡ଼ିଯିବେ। “ବିଜୁ ଜନତା ଦଳ ମହିଳାଙ୍କ ବଳ’ ବୋଲି ବିଜେଡି କହୁଥିଲେ ହେଁ ବାସ୍ତବିକ ଏହା ମହିଳାଙ୍କ ପାଇଁ କାଳ ହୋଇଛି। ରାଜ୍ୟ ସରକାର ଛାତ୍ରୀଙ୍କ ଗଣଦୁଷ୍କର୍ମର ତୁରନ୍ତ ସ୍ପଷ୍ଟୀକରଣ ଦେବା ସହ ଏହି ମାମଲାରେ ଯଦି କୌଣସି ସଠିକ୍ ପଦକ୍ଷେପ ନନେବେ ତା’ହେଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ସହିତ ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତ୍ରୀ ରୀତା ସେଠୀ,ରଶ୍ମୀ ପଟ୍ଟନାୟକ, ବବିତା ପାତ୍ର, କାନନବାଳା ଦାସ, ରାଜଲକ୍ଷ୍ମୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।