ରାଜ୍ୟର ଅଣ ବିଜେପି-ବିଜେଡ଼ି ରାଜନୈତିକ ଦଳକ୍ତର ବୈଠକ

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅଣ ବିଜେପି ଓ ଅଣ ବିଜେଡ଼ି ରାଜନୈତିକ ଦଳ (ଇଣ୍ଡିଆ ମେଣ୍ଟ ଭୁକ୍ତ) ଦଳର ସଂଯୋଜନା କମିଟିର ଅଧ୍ୟକ୍ଷ ତଥା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଖବର ଅନୁଯାୟୀ ରାଜ୍ୟରେ ଆକାଶଛୁଆଁ ଦରବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ବ୍ୟାପକ ଦୁର୍ନୀତି, ଚାଷ ଓ ଚାଷୀ ସମସ୍ୟା, ନାରି ନିର୍ଯ୍ୟାତନ ଆଦିକୁ ନେଇ ଜନ ଆକ୍ରୋଶ ଆନ୍ଦୋଳନ କରାଯିବା ପାଇଁ ପୂର୍ବ ବୈଠକରେ ନିଷ୍ପତି ନିଆଯାଇଥିଲା। ଗଣତନ୍ତ୍ର ଓ ଲୋକ ପ୍ରତିନିଧି ମୂଳକ ଶାସନ ବ୍ୟବସ୍ଥା ରାଜ୍ୟରେ ବିଜେଡ଼ି ସରକାର ଓ କେନ୍ଦ୍ରରେ ବିଜେପି ସରକାର ଦ୍ୱାରା ସଂପୂର୍ଣ ଭ୍ରଷ୍ଟ ହୋଇଛି। ପଂଚାୟତରୁ ବ୍ଲକ ଓ ସଚିବାଳୟର ସର୍ବୋଚ୍ଚ ସ୍ତରଯାଏ ଦୁର୍ନୀତି, ଅନିୟମିତତା, ବାବୁସାହି ଏବଂ ଶାସନ କଳର ଅପବ୍ୟବହାର କାୟା ବିସ୍ତାର କରିଛି। କମ୍ପାନୀ ମାଲିକ ମାନଙ୍କ ହାତରେ ସରକାର ବନ୍ଧା ପଡ଼ିଛି। ନିରିହ ଆଦିବାସୀ ଓ ଦଳିତ ମାନଙ୍କ ଉପରେ ପୋଲିସ ଜୁଲମ ବଢ଼ିଚାଲିଛି । ସାଧାରଣ ଟିକସଦାତା ଅର୍ଥକୁ ସରକାରୀ ଅଫିସର ମନମୁଖି ଅନିୟମିତତା ଭାବେ ଖର୍ଚ୍ଚ କରୁଛନ୍ତି । ରାଜ୍ୟ ରାଜକୋଷ ଲୁଟ ହେଉଛି । ପଛୁଆ ବର୍ଗର ଲୋକମାନେ ଅବହେଳାର ଶିକାର ହେଉଛନ୍ତି। ଚାକିରି ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ପାଇଁ ସଂରକ୍ଷଣ ନାହିଁ । କେବଳ ଭୋଟରଙ୍କୁ ଭୁଆଁ ବୁଲାଇବା ପାଇଁ ଯୋଜନା କରାଯାଉଛି । ରାଜ୍ୟର ଭବିଷ୍ୟତ ବିପନ୍ନ ଏଥିପାଇଁ ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ଆକ୍ରୋସ ବଢ଼ିବାରେ ଲାଗିଛି। ବଢ଼ିଚାଲିଥିବା ଜନଆକ୍ରୋଶକୁ ଆନ୍ଦୋଳନର ରୂପ ଦେବାପାଇଁ ନଭେମ୍ବର ୮ ରେ ରାୟଗଡ଼ା ଠାରେ ଓ ନଭେମ୍ବର ୧୫ ବାଲେଶ୍ୱର ଠାରେ ଜନଆକ୍ରୋଶ ସମାବେଶ ଆୟୋଜନ କରାଯିବା ପାଇଁ ବିରୋଧି ରାଜନୈତିକ ଦଳର ନେତୃବୃନ୍ଦଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ନିଆଯାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସଂଯୋଜକ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବରିଷ୍ଠ ନେତା ତଥା ପିସିସି ଉପ ସଭାପତି ଶିବାନନ୍ଦ ରାୟ, ସିପିଆଇଏମ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ସିପିଆଇର ଜୟନ୍ତ ଦାଶ, ସିପିଆଇ ଏମ ଏଲ ରାଜ୍ୟ ସମ୍ପାଦକ ଯୁଧିଷ୍ଠୀର ମହାପାତ୍ର, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆମଆଦମି ପାର୍ଟିର ପ୍ରତିନିଧି ସୁଦିପ୍ତ ଦାସ, ସୌମ୍ୟ ରଞ୍ଜନ ସ୍ୱାଇଁ, ତୃଣମୂଳ କଂଗ୍ରେସର ପ୍ରତିନିଧି ନନ୍ଦନ ପାଲ, ସମତାକ୍ରାନ୍ତି ଦଳର ପ୍ରଭାତ ସାମନ୍ତରାୟ, ଆରଜେଡିର ହେମନ୍ତ କୁମାର,ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ପ୍ରବକ୍ତା ଶିବାଜୀ ମୌଲିକ ପ୍ରମୁଖ ଇଣ୍ଡିଆ ମେଣ୍ଟଭୁକ୍ତ ଦଳର ନେତୃବୃନ୍ଦମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button