ପରିବାରର ୬ ଜଣଙ୍କୁ ବିଷ ଦେଇ ଫର୍ଣ୍ଣିଚର ଦୋକାନୀଙ୍କ ଆତ୍ମହତ୍ୟା

ଅହମ୍ମଦାବାଦ : ଗୋଟିଏ ଘରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ। ବ୍ୟକ୍ତି ଜଣକ ପ୍ରଥମେ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇବା ପରେ ନିଜେ ବେକରେ ଦୌଡ଼ି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି।
ଖବର ଅନୁଯାୟୀ ଘଟଣାଟି ଗୁଜରାଟର ସୁରତ ଅନ୍ତର୍ଗତ ପାଲନପୁର ପଟିଆରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ଘଟିଛି। ଫର୍ଣ୍ଣିଚର ଦୋକାନୀ ମନୀଷ ସୋଲାଙ୍କୀ ଏପରି କରିଛନ୍ତି। ପୋଲିସ୍ କବାଟ ଭାଙ୍ଗି ମନୀଷ, ତାଙ୍କ ବାପା କାନୁ ଭାଇ ସୋଲାଙ୍କି, ମା’ ଶୋଭା, ପତ୍ନୀ ରିତା ଓ ୩ ପିଲା ଦିଶା, କାବ୍ୟା ଓ କୁଶଲଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି।ମନୀଷଙ୍କ ଘରୁ ଜବତ ସୁଇସାଇଡ ନୋଟରେ ସେ ଋଣ ଆଣି ଫେରସ୍ତ କରିନପାରିବାରୁ ପରିବାର ସହ ଜୀବନ ହାରିଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ସେ କାହା ଠାରୁ କେତେ ଟଙ୍କା ଋଣ ଆଣିଥିଲେ, ସେକଥା ଲେଖି ନାହାନ୍ତି।
ମନୀଷଙ୍କ ପାଖରେ କାମ କରୁଥିବା ମିସ୍ତ୍ରୀ ଓ ଶ୍ରମିକମାନେ ଆଜି ସକାଳେ ତାଙ୍କୁ ବାରମ୍ବାର ଫୋନ କରିଥିଲେ। ସେ କୌଣସି ଉତ୍ତର ନଦେବାରୁ କେତେଜଣ ମିସ୍ତ୍ରୀ ଓ ଶ୍ରମିକ ଘରକୁ ଆସି କବାଟ ବାଡ଼େଇ ଥିଲେ। ହେଲେ ଘର ଭିତରକୁ ଉତ୍ତର ନମିଳିବାରୁ ସେମାନେ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ପୋଲିସକୁ ଖବର ଦିଆଯାଇଥିଲା।