ଲିଫି ଟେକ୍ନୋଲୋଜି : ଏଲଇଡି ବଲରୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍

ନୂଆଦିଲ୍ଲୀ : ଆଗାମୀ ଦିନରେ ଏଲଇଡି ବଲରୁ ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍। ଏହି ଟେକ୍ନୋଲୋଜିର ନାଁ ଲିଫି। ଏହା ଏଲଇଡି ବଲ ଆଧାରରେ କାର୍ଯ୍ୟ କରିବ। ଏହି ଟେକ୍ନୋଲୋଜିରେ ଚାଲୁଥିବା ଇଣ୍ଟରନେଟ୍ ୪ଜି ଠାରୁ ୧୦୦ ଗୁଣା ଅଧିକ ସ୍ପିଡରେ ୟୁଜର୍ସଙ୍କ ପାଖରେ ପହଞ୍ଚିବ। ସରଳ ଅର୍ଥରେ କହିବାକୁ ଗଲେ ଲିଫିରେ ଚାଲୁଥିବା ଇଣ୍ଟରନେଟ୍ ପ୍ରତି ସେକେଣ୍ଡରେ ୧୦ ଜିବି ସ୍ପିଡରେ ପହଞ୍ଚିପାରିବ।

ଖବର ଅନୁଯାୟୀ କେନ୍ଦ୍ର ସରକାରଙ୍କ ଇନଫରମେସନ୍ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରାଳୟ ନିକଟରେ ଏହି ଘୋଷଣା କରିଥିବା ବେଳେ ଏହାକୁ ସଫଳଭାବେ ପ୍ରୟୋଗ କରାଯାଇସାରିଛି ବୋଲି କହିଛି। ନୂଆ ଲିଫି ଟେକ୍ନୋଲୋଜି ସମ୍ପୂର୍ଣ୍ଣ ଭାବେ ଏଲଇଡି ବଲ୍ୱର ଆଲୋକ ତରଙ୍ଗ ଅର୍ଥାତ୍ ଲାଇଟ୍ ସ୍ପେକ୍ଟ୍ରମକୁ ବ୍ୟବହାର କରିବ। ଯାହାଫଳରେ କିଛି କିଲୋମିଟର ପରିସୀମା ଭିତରେ ୧୦ ଜିବିପିଏସ୍ ସ୍ପିଡରେ ଇଣ୍ଟରନେଟ୍ ପ୍ରସାରିତ ହେବ। ଏହାକୁ ବ୍ୟବହାର କରିବାରେ ବ୍ରଡବ୍ୟାଣ୍ଡ, ୱାଇଫାଇ, ଫାଇବର ନା କୌଣସି ଅପ୍ଟିକାଲ ଫାଇବରର ଆବଶ୍ୟକତା ପଡିବ ନାହିଁ। ଏହି ଟେକ୍ନୋଲୋଜିରେ ଇଣ୍ଟରନେଟ୍ ଡାଟା ଏଲଇଡି ଲାଇଟ୍ ସ୍ପେକ୍ଟ୍ରମ ସହାଯ୍ୟରେ ଫୁଲ ସ୍ପିଡରେ ସର୍ଭିସ ଦେବ।

ଭାରତରେ ଲିଫି ଟେକ୍ନୋଲୋଜିକୁ ଟେଷ୍ଟ କରିବା ଓ ଦେଶର ଆବଶ୍ୟକତା ଅନୁସାରେ ବିକଶିତ କରିବାରେ ମାଡ୍ରାସ୍ ଆଇଆଇଟି ଓ ଏଲିଡି ବଲ ନିର୍ମାତା ଫିଲିପ୍ସ କମ୍ପାନୀ ମିଳିତ ଭାବେ ପରୀକ୍ଷାନୀରିକ୍ଷା କରୁଛନ୍ତି। ଏଥିସହ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ମଧ୍ୟ ଏହି ପ୍ରୋଜେକ୍ଟରେ କାମ କରୁଛି। ପ୍ରୋଜେକ୍ଟ ସଫଳ ହେଲେ କେବଳ ସହରାଞ୍ଚଳ ନୁହେଁ ଗାଁ ଗୁଡିକୁ ମଧ୍ୟ ଇଣ୍ଟରନେଟ୍ ସେବା ଯୋଗାଇବା ସହଜ ହେବ। କେବଳ ସେତିକି ନୁହେଁ ଲିଫି ଦ୍ଵାରା ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ଉପକୃତ ହେବେ ଓ ସେଠିକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧୁରିପାରିବ ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Back to top button