ଜାମତରା ଠକ ଗ୍ୟାଙ୍ଗର ଦୁଇ ଗିରଫ

ରାଞ୍ଚି : ଝାରସୁଗୁଡ଼ା ପୋଲିସ ଝାଡ଼ଖଣ୍ଡ ଜାମତରା ଠାରେ ଥିବା ସାଇବର ଠକ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଆଜି ଗିରଫ କରିଛି। ସେମାନେ ହେଲେ ଝାରସୁଗୁଡ଼ା ଆଦର୍ଶ କଲୋନୀର ସୁନିଲ ସାହୁ ଓ କାଳିମନ୍ଦିରରେ ରହୁଥିବା ସେକ୍ ଅମାଦୁଲ ଓରଫ ସେକ୍ ମସ୍ତାକିନ୍।

ଖବର ଅନୁଯାୟୀ ଏହି ଗ୍ୟାଙ୍ଗର ସଦସ୍ୟମାନେ ଲୋକଙ୍କୁ ବିଭିନ୍ନ ଉପାୟରେ ଠକେଇ କରି ସେମାନଙ୍କ ଏକାଉଣ୍ଟରେ ଟଙ୍କା ଜମା କରୁଥିଲେ। ଜମା କରିବାର କିଛି ମୁହୂର୍ତ୍ତ ମଧ୍ୟରେ ଏକାଉଣ୍ଟରୁ ଟଙ୍କା ଜାମତରା ଠକ ଗ୍ୟାଙ୍ଗ ପାଖକୁ ଚାଲି ଯାଉଥିଲା। ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାଶ ଆଜି ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି। କିଛିଦିନ ତଳେ ଝାରସୁଗୁଡ଼ା ପୋଲିସ ଜାମତରା ଠକ ଗ୍ୟାଙ୍ଗକୁ ଧରିଥିବା ବେଳେ ଏହି ଠକ ଗ୍ୟାଙ୍ଗର ମୁଖ୍ୟ ଝାରସୁଗୁଡ଼ା ଠାରେ ଉପରୋକ୍ତ ଦୁଇଜଣ ବ୍ୟକ୍ତିଙ୍କୁ ସାକ୍ଷାତ କରି ତାଙ୍କୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ କହିଥିଲା। ଆକାଉଣ୍ଟ ଖୋଲିବା ପାଇଁ ଏମାନଙ୍କୁ ୧୦ ହଜାର ଟଙ୍କା ଯୋଗାଇ ଦେଇଥିଲା।

ସେମାନଙ୍କ ନାମରେ ସହରର ୫ଟି ବ୍ୟାଙ୍କରେ ୧୩ଟି ଆକାଉଣ୍ଟ ଥିବା ପୋଲିସ ଠାବ କରିଛି। ଗିରଫ ବ୍ୟକ୍ତିମାନେ କେବଳ ଆକାଉଣ୍ଟ ଖୋଲିଥିବା ବେଳେ ଆକାଉଣ୍ଟକୁ ଜାମତରା ଠକ ଗ୍ୟାଙ୍ଗ ପରିଚାଳନା କରୁଥିଲେ। ମୋଟ ଟ୍ରାନଜାକସନ ପ୍ରତି ୮ ପ୍ରତିଶତ କମିଶନ ଆକାରରେ ମିଳୁଥିଲା। ଝାରସୁଗୁଡ଼ା ଟାଉନ ଥାନା ପକ୍ଷରୁ ଏଭଳି ସଂଦେହଜନକ ଆକାଉଣ୍ଟ ଉପରେ ବ୍ୟାଙ୍କର ସହଯୋଗରେ କଡ଼ା ନଜର ରଖାଯାଇଥିଲା। ଆକାଉଣ୍ଟରେ ଟଙ୍କା ପଡ଼ିବା କ୍ଷଣି ଉଠି ଯାଉଥିବାରୁ ଏଭଳି ଆକାଉଣ୍ଟ ଥିବା ଗ୍ରାହକଙ୍କ ଗତିବିଧି ଉପରେ ପୋଲିସ ତଦନ୍ତ କରିଥିଲା। ଏହି ବ୍ୟକ୍ତିମାନଙ୍କର କୌଣସି ବ୍ୟବସାୟ କିମ୍ବା ଆୟ ନଥିବା ବେଳେ ତାଙ୍କ ଆକାଉଣ୍ଟକୁ କିଭଳି ଏତେ ଟଙ୍କା ଆସୁଛି ତାହାକୁ ନେଇ ପୋଲିସ ଖୋଲତାଡ଼ କରିବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା ବୋଲି ଶ୍ରୀ ଦାଶ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button