ଝାରଖଣ୍ଡ ବିଧାନସଭାରେ ବିଜେପି ମାଗିଲା ଗୀତା ବଖରା

ରାଞ୍ଚି : ଝାରଖଣ୍ଡ ବିଧାନସଭାରେ ବିଧାୟକଙ୍କ ନମାଜ ପାଠ ପାଇଁ ସ୍ୱତନ୍ତ୍ର ରୁମ୍‌ର ବ୍ୟବସ୍ଥା କରିବା ପାଇଁ ଅନୁମତି ଦିଆଯାଇଛି। ଝାରଖଣ୍ଡ ବିଧାନସଭାର ଏହି ନିଷ୍ପତ୍ତି ବିରୋଧରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଦଳର ବିଧାୟକମାନେ ହନୁମାନ ଚାଳିଶା ପାଠ କରିବା ପାଇଁ ବିଧାନସଭାରେ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

କେବଳ ସେତିକି ନୁହେଁ ବିଜେପି ବିଧାୟକମାନେ ଝାରଖଣ୍ଡ ବିଧାନସଭା ଆଗରେ ବିକ୍ଷୋଭ କରିଥିବା ବେଳେ ସେମାନେ ପୂଜକ ଅବତାରରେ ବିଧାନସଭାକୁ ଆସି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଧାର୍ଯ୍ୟ ସମୟର ୩୦ ମିନିଟ୍‌ ପୂର୍ବରୁ ଗୃହ କାର୍ଯ୍ୟ ବନ୍ଦ କରିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଛନ୍ତି। ୩୦ ମିନିଟ୍‌ ପୂର୍ବରୁ ଲଞ୍ଚ ବ୍ରେକ୍‌ ହେଲେ ସେମାନେ ଭଗବାନ ହନୁମାନଙ୍କ ପାଇଁ ପ୍ରାର୍ଥନା କରିବେ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ଏହାକୁ ନେଇ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଛି। ବିଜେପି ବିଧାୟକମାନେ ଏହା ବିରୋଧରେ ବିଧାନସଭା ଆଗରେ ବିକ୍ଷୋଭ କରି ହନୁମାନ ଚାଳିଶା ପଢ଼ିଛନ୍ତି। ଅନ୍ୟପକ୍ଷରେ ଝାରଖଣ୍ଡ ବିଧାନସଭା ନେଇଥିବା ନିଷ୍ପତ୍ତି ବିରୋଧରେ ଗୋଟିଏ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଦାଖଲ କରାଯାଇଛି। ଏହା ଧର୍ମନିରପେକ୍ଷତା ବିରୋଧୀ ବୋଲି ଅଭିଯୋଗ କରାଯାଇଛି।

ସେହିପରି ଝାରଖଣ୍ଡ ବିଧାନସଭାର ଏହି ନିଷ୍ପତ୍ତିର ପ୍ରତିକ୍ରିୟା ଉତ୍ତର ପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିଛି। ସାମାଜବାଦୀ ପାର୍ଟିର ଜଣେ ବିଧାୟକ ଉତ୍ତର ପ୍ରଦେଶ ବିଧାନସଭାରେ ସମାନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ବିହାରର ମଧ୍ୟ ବିଜେପି ବିଧାୟକ ହନୁମାନ ଚାଳିଶା ଓ ଶ୍ରୀମଦଭଗବତ ଗୀତା ପଢ଼ିବା ପାଇଁ ବିଧାନସଭାରେ ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରିବାକୁ କହିଛନ୍ତି।

ଉତ୍ତର ପ୍ରଦେଶର କାନପୁରର ସମାଜବାଦୀ ପାର୍ଟି ବିଧାୟକ ଇରଫାନ ସୋଲାଙ୍କି କହିଛନ୍ତି ବିଧାନସଭାରେ ନମାଜ ପାଠ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା ହେବା ଦରକାର। ଏଥିପାଇଁ ଉତ୍ତର ପ୍ରଦେଶ ବିଧାନସଭାର ବାଚସ୍ପତିଙ୍କୁ ସେ ଭେଟିଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button