ଦଶହରା ପୂର୍ବରୁ ରାବଣ ମୁଣ୍ଡ ପୋଡ଼ିଗଲା

ଝାରସୁଗୁଡ଼ା : ଝାରସୁଗୁଡ଼ାର ରାବଣ ପୋଡ଼ିକୁ ନେଇ ବିବାଦ। ସେଥିପାଇଁ ଜିଲ୍ଲା ପ୍ରଶାସନ ମନମୋହନ ସ୍କୁଲ ପଡିଆରେ ଏହି ଉତ୍ସବ ପାଳନ ପାଇଁ ଅନୁମତି ଦେଇନାହିଁ। କିନ୍ତୁ ପଡ଼ିଆର ଗୋଟିଏ କୋଣରେ ଟେଣ୍ଟ ବନ୍ଧାଯାଇ ରାବଣ ତିଆରି ଚାଲିଥିଲେ ହେଁ ଆଜି ସନ୍ଧ୍ୟାରେ ଟେଣ୍ଟଟି ଜଳୁଥିବା ଦେଖାଯାଇଥିଲା। ଏ ସମ୍ପର୍କରେ ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ରାବଣର ମୁଣ୍ଡ ପୋଡ଼ି ଯାଇଥିବା ଜଣାପଡିଛି। ଏହା କେଉଁ ଗୋଷ୍ଠୀର ରାବଣ ଓ ନିଆଁ କେମିତି ଲାଗିଲା ସ୍ପଷ୍ଟ ହୋଇନାହିଁ। ସାର୍ଟ ସର୍କିଟରୁ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ଅନୁମାନ କରୁଛି।

ଖବର ଅନୁଯାୟୀ ମନମୋହନ ଏମ୍‌ଇ ସ୍କୁଲ ପଡ଼ିଆରେ ଦୀର୍ଘ ୪୦ ବର୍ଷ ଧରି ରାବଣ ପୋଡ଼ି ଉତ୍ସବ ପାଳନ ହୋଇଆସୁଛି। ଚଳିତବର୍ଷ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଗୋଷ୍ଠୀ ମଧ୍ୟରେ ଏହି ଉତ୍ସବ ପାଳନକୁ ନେଇ ବିବାଦ ଦେଖାଦେଇଥିଲା। ଫଳରେ ଜିଲ୍ଲା ପ୍ରଶାସନ ସ୍କୁଲ ପଡ଼ିଆରେ ରାବଣ ପୋଡ଼ି ପାଇଁ କାହାରିକୁ ଅନୁମତି ଦେଇନାହିଁ। ହେଲେ ଦଶହରା ପୂର୍ବରୁ ରାବଣ ପୋଡିଯିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button