ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ଉଡ଼ାଇ ଦେଲେ ଆତଙ୍କବାଦୀ

ଇସଲାମାବାଦ : ପାକିସ୍ତାନ ବାଲୋଚିସ୍ତାନ ଅନ୍ତର୍ଗତ ଗୱାଦରରେ ରହିଥିବା ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ଗୋଟିଏ ପ୍ରତିମୂର୍ତ୍ତିକୁ ବାଲୋଚ ଆତଙ୍କବାଦୀମାନେ ବୋମା ପକାଇ ଧ୍ୱଂସ କରି ଦେଇଛନ୍ତି।

ଖବର ଅନୁଯାୟୀ ଗୱାଦରର ମେରାଇନ ଡ୍ରାଇଭରେ ଜିନ୍ନାଙ୍କ ଏହି ପ୍ରତିମୂର୍ତ୍ତିକୁ ଜୁନ ମାସରେ ପ୍ରତିଷ୍ଠା କରାଯିବା ସହିତ ଉକ୍ତ ଅଞ୍ଚଳକୁ ସୁରକ୍ଷିତ ଜୋନ ଭାବେ ବିବେଚନା କରାଯାଇଥିଲା। କିନ୍ତୁ ରବିବାର ଆତଙ୍କବାଦୀମାନେ ବୋମା ଖଞ୍ଜି ପ୍ରତିମୂର୍ତ୍ତିଟିକୁ ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି। ଟ୍ୱିଟରରେ ଅସିଦ୍ଧ ଘୋଷଣା ହୋଇଥିବା ବାଲୋଚ ରିପବ୍ଲିକାନ ଆର୍ମି ବିସ୍ଫୋଣର ପାଇଁ ନିଜକୁ ଦାୟୀ କରିଛି। ଗୱାଦର ଡେପୁଟି କମିଶନର ମେଜର (ଅବସରପ୍ରାପ୍ତ) ଅବଦୁଲ କବିର ଖାନ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା କହିଛନ୍ତି।

ସେ କହିଛନ୍ତି ଉକ୍ତ ଅଞ୍ଚଳକୁ ଆତଙ୍କବାଦୀମାନେ ପର୍ଯ୍ୟଟକ ବେଶରେ ଆସି ପ୍ରତିମୂର୍ତ୍ତି ନିକଟରେ ବିସ୍ଫୋରକ ଖଞ୍ଜି ଫେରାର ହୋଇଯାଇଥିଲେ। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ। ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି ଓ ଖୁବଶୀଘ୍ର ଦୋଷୀଙ୍କୁ ଧରାଯିବ ବୋଲି ସେ କହିଛନ୍ତି। ବାଲୋଚିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ସର୍ଫରାଜ ବୁଗଟି କହିଛନ୍ତି ଜିନ୍ନାଙ୍କ ପ୍ରତିମୂର୍ତ୍ତିରେ ଆକ୍ରମଣ କରି ଆତଙ୍କବାଦୀମାନେ ପାକିସ୍ତାନର ଆଦର୍ଶ ଉପରେ ହମଲା କରିଛନ୍ତି। ଜିଆରତରେ ଥିବା ଜିନ୍ନାଙ୍କ ବାସଭବନ ଉପରେ ଆକ୍ରମଣ କରିଥିବା ଦୋଷୀଙ୍କୁ ଆମେ ଯେମିତି ଦଣ୍ଡ ଦେଇଥିଲୁ ଏବେ ପ୍ରଶାସନିକ ଅଧିକାରୀମାନେ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଆତଙ୍କୀଙ୍କୁ ସେମିତି ଶାସ୍ତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ୨୦୧୩ରେ ବାଲୋଚି ଆତଙ୍କୀମାନେ ଜିନ୍ନାଙ୍କ ସ୍ମୃତିରେ ସଂରକ୍ଷିତ ହୋଇ ରହିଥିବା ତାଙ୍କ ବାସଭବନରେ ଦୀର୍ଘ ୪ ଘଣ୍ଟାକାଳ ଆକ୍ରମଣ କରି ସବୁକିଛି ନଷ୍ଟ କରି ଦେଇଥିଲେ। ଜୀବନର ଶେଷ ସମୟରେ ଏଠାରେ ଜିନ୍ନା ରହୁଥିଲେ। ଆତଙ୍କୀଙ୍କ ହମଲାରେ ସେଠାରେ ଥିବା ତାଙ୍କର ସମସ୍ତ ସ୍ମୃତି ଛାରଖାର ହୋଇ ଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button