କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଭୁବନେଶ୍ୱର କମିଶନରେଟ୍ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ପ୍ରସନ୍ନ ବେହେରା ନିଲମ୍ବିତ। କର୍ଫ୍ୟୁ ନିୟମ ଉଲଘଂନ କରି ବିଳମ୍ବିତ ରାତି ଯାଏଁ ବାର୍ ଓ ଡ୍ୟାନ୍ସ ବାର୍ ଚାଲିବା ଅଭିଯୋଗରେ ଡିସିପି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ମନୀଷ ଅନୁରାଗଙ୍କ ହତ୍ୟାର ୩ ଅଭିଯୁକ୍ତଙ୍କ ୪ ଦିନର ରିମାଣ୍ଡ ଅବଧି ଗୁରୁବାରରୁ ସରିଛି। କିନ୍ତୁ ଅଭିଯୁକ୍ତମାନେ ସେହି କାଳ ରାତିର କିଛି ଘଟଣାରେ ସ୍ୱିକାରୋକ୍ତି ରଖିଥିଲେ। ହୋଟେଲରୁ ବାହାରିବା ପରେ ଅନେକ ସତକୁ ସେମାନେ ଏଡ଼ାଇ ଯାଇଥିଲେ ହେଁ ପୋଲିସର ପ୍ରଶ୍ନ ବାଣ ସାମ୍ନାରେ ଗୋଟିଏ ଉତ୍ତର ରଖିଛନ୍ତି ଆମେ ନିଶାରେ ଚୁର୍‌ ଥିଲୁ… କିଛି ମନେ ପଡୁନି।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଅଭିଯୁକ୍ତମାନଙ୍କୁ ୩ ଦିନ ଜେରା କରାଯାଇଥିଲା। ସେମାନେ କିଛି ପ୍ରଶ୍ନର ସଠିକ୍ ତଥ୍ୟ ଦେଇଥିଲେ। ମନୀଷଙ୍କ ସହ କେମିତି ମିଶିଲେ ? କେବେଠୁ ବନ୍ଧୁତାର ଆରମ୍ଭ ? ଘଟଣାଦିନ କେତେବେଳେ ଭେଟିଥିଲେ ? ପ୍ରଥମେ କେଉଁ ବାର୍‌କୁ ଯାଇଥିଲେ ? ଏନେଇ ସବିଶେଷ ବିବରଣୀ ଆମ ସାମ୍ନାରେ ରଖିଥିଲେ। ଏମିତିକି ସାଉଥ୍‌ ସିଟି ହୋଟେଲରେ ହୋଇଥିବା ଝଗଡ଼ାକୁ ମଧ୍ୟ ମାନିଥିଲେ। ଏସବୁ ଘଟଣାବଳୀର ସିସି କ୍ୟାମେରା ଫୁଟେଜ୍‌ ରହିଛି। ହୋଟେଲ କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି। ଅଭିଯୁକ୍ତମାନେ ସଠିକ୍‌ ତଥ୍ୟ ଦେଇଛନ୍ତି। କିନ୍ତୁ ହୋଟେଲରୁ ବାହାରିବା ପରେ କେଉଁ ଆଡ଼େ ଗଲେ ? ପାତ୍ରପଡ଼ା ନମ୍ରକର୍ଣ୍ଣି ପୋଖରୀ କୂଳରେ କେତେବେଳେ ପହଞ୍ଚିଲେ ? ପୋଖରୀ କୂଳ ପଡି଼ଆରେ କ’ଣ ଘଟିଲା ? ସେଠି ଧସ୍ତାଧସ୍ତି ହୋଇଥିଲା କି ନାହିଁ ? ଏନେଇ କିଛି ସ୍ପଷ୍ଟ ତଥ୍ୟ ଦେଇନଥିବା କହିଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ପ୍ରୀତମ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କୁ ଗୁରୁବାର ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *

Back to top button