ବଦଳିଲା ଜମି କିଣାବିକା ନିୟମ : ଏଣିକି ସ୍ଲଟ୍ ବୁକିଂ ପରେ ରେଜିଷ୍ଟ୍ରେସନ୍‌

କଟକ : ରାଜ୍ୟରେ ପ୍ରଚଳିତ ଜମିଜମା ଇ-ରେଜିଷ୍ଟ୍ରେସନ୍‌ ବା ପଞ୍ଜୀକରଣ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଏଣିକି ଅନ୍‌ ଲାଇନ୍‌ ସ୍ଲଟ୍ ବୁକିଂ କରିବା ପରେ ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜୀକରଣ ‌ହେବ। ଏ ସମ୍ପର୍କରେ ଆଜି ଆଇଜିଆର (ଇନ୍‌ସପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟେ୍ରସନ୍‌)ଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି ନିୟମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି।

ଆଇଜିଆର ଘୋଷଣା ଅନୁଯାୟୀ ଏଣିକି ଜମି କିଣାବିକା ବା ଯେକୌଣସି ସେଲ୍‌ ଡିଡ୍‌ ବା ପଞ୍ଜୀକରଣ ପାଇଁ ସବ ରେଜିଷ୍ଟ୍ରାର ଅଫିସରେ ଭିଡ଼ ଲଗାଇବାର ଆବଶ୍ୟକତା ରହିବ ନାହିଁ। ଜମି କିଣାବିକା ପାଇଁ ଅନଲାଇନ୍‌ରେ ଆଗୁଆ ସ୍ଲଟ୍‌ ବୁକିଂ କରିବାକୁ ପଡ଼ିବ। ସ୍ଲଟ୍‌ରେ ମିଳିଥିବା ସମୟ ଅନୁସାରେ ଜମି ପଞ୍ଜୀକରଣ ହେବ। ଅନଲାଇନ୍‌ରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇ ନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ। ବିଶେଷ କ୍ଷେତ୍ରରେ ଅନଲାଇନ୍‌ରେ ପଞ୍ଜୀକରଣ କରାଇ ତତ୍‌କାଳ ସୁବିଧା ବା ସ୍ଲଟ୍‌ ଦିଆଯିବାର ବ୍ୟବସ୍ଥା ରହିବ ବୋଲି ଆଇଜିଆରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ବିଶ୍ଵର ‌ଯେକୌଣସି ସ୍ଥାନରୁ ଟେ ଜଣେ ବ୍ୟକ୍ତି ତା’ର ଜମିଜମା କିଣାବିକା ପଞ୍ଜୀକରଣ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ନାମ ପଞ୍ଜୀକରଣ କରି ସ୍ଲଟ ନେବାପରେ ମିଳିଥିବା ସ୍ଲଟ୍ ଅନୁଯାୟୀ ନିର୍ଦିଷ୍ଟ ଦିନରେ ସବ ରେଜିଷ୍ଟ୍ରାର ଅଫିସ ଆସି ପଞ୍ଜୀକରଣ କରାଇପାରିବେ। ଜହଫଳରେ ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବାକୁ ପର୍ଯ୍ୟାପ୍ତ ସମୟ ପାଇବେ। ଜାଲିଆତି ଜମି କିଣାବିକା ଉପରେ ଏହାଦ୍ଵାରା ଅଙ୍କୁଶ ଲାଗି ପାରିବ।

Leave a Reply

Your email address will not be published. Required fields are marked *

Back to top button