ଟ୍ରେନ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୪୦ରେ ପହଞ୍ଚିଲା

ଭୁବନେଶ୍ଵର : ବାଲେଶ୍ଵର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୪୦ରେ ପହଞ୍ଚିଛି। ୧୦୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟୁଇଟ କରି ସୂଚନା ଦେଇଛନ୍ତି। ଏସଆରସିଙ୍କ ସୂଚନା ଆଧାରରେ ସେ ଏହି ତଥ୍ୟ ଦେଇଥିବା ବେଳେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଶୁକ୍ରବାର ଘଟିଥିବା ଦୁର୍ଘଟଣାରେ ଦୁଇଟି ଦ୍ରୁତଗାମୀ ଟ୍ରେନର ୧୭ଟି ବଗି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର ଶିକାର ଆହତମାନଙ୍କୁ ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଦୁର୍ଘଟଣାସ୍ଥଳରେ ବହୁସଂଖ୍ୟାରେ ମୃତଦେହ ପଡ଼ିଥିବା ବେଳେ ଡାକ୍ତରଖାନା ଗୁଡିକରେ ଗୁରୁତର ହୋଇଥିବା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତଦେହଗୁଡ଼ିକ ସେଠାରେ ପଡ଼ି ରହିଛି। ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପ୍ରଶାସନିକ ବିଭିନ୍ନ ଟିମ୍ ଉଦ୍ଧାର କାମ ଚଳାଇଛନ୍ତି।

ସୂଚନାଯୋଗ୍ୟ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ଵର ବାହାନଗା ଷ୍ଟେସନ ନିକଟରେ କୌଣସି କାରଣରୁ ଲାଇନ୍‌ ଚ୍ୟୁତ୍‌ ହୋଇ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ଖାଇଥିଲା। ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଏହି ସମୟରେ ଦୃତଗତିରେ ଆସୁଥିବା ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦୁର୍ଘଟଣାର ଶିକାର ହୋଇଥିଲା। ଦୁଇଟି ଏକ୍ସପ୍ରେସ୍‌ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଶତାଧିକ ଯାତ୍ରୀ ମୃତାହତ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୭ଟା ୧୫ରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରେନର ବଗି ତଳେଯାତ୍ରୀ ଚାପି ହୋଇ ରହିଥିବାରୁ କ୍ରେନ ସାହାଯ୍ୟରେ ବଗିଗୁଡିକ ଉଠାଯାଉଛି। ଉଦ୍ଧାରକାର୍ଯ୍ୟରେ ପ୍ରାୟ ୫୦୦ରୁ ଅଧିକ ଉଦ୍ଧାରକାରୀ ଲାଗିଛନ୍ତି। ପ୍ରାୟ ୨୦୦ ଆମ୍ବୁଲାନ୍ସ ଓ ୧୦୦ରୁ ଅଧିକ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button