କରୋନା ଯୁଦ୍ଧରୁ ୬ ମାସ ପରେ ଆଶ୍ୱସ୍ତି ମିଳିବ

ନୂଆଦିଲ୍ଲୀ : ଆସନ୍ତା ୬ ମାସ ମଧ୍ୟରେ କରୋନା ଏଣ୍ଡେମିକ୍‌ ପର୍ଯ୍ୟାୟରେ ପହଞ୍ଚିବାର ସମ୍ଭାବନା ରହିଛି। ଫଳରେ କରୋନା ଯୁଦ୍ଧ ଆହୁରି ସହଜ ହେବ। ଦେଶରେ ତୃତୀୟ ଲହର କରୋନାର କୌଣସି ନୂଆ ଭ୍ୟାରିଏଣ୍ଟ ଏକାକୀ ସଂକ୍ରମଣ ବୃଦ୍ଧି କରିପାରିବ ନାହିଁ। ଏପରି ଆଶ୍ୱସ୍ତକର ଖବର ଦେଇଛନ୍ତି ଏନସିଡିସିର ନିର୍ଦ୍ଦେଶକ ସୁଜିତ ସିଂହ।

ବୁଧବାର ସୁଜିତ ସିଂହ କହିଛନ୍ତି ଆସନ୍ତା ୬ ମାସ ମଧ୍ୟରେ କୋଭିଡ୍ -୧୯ ମହାମାରୀ ଭାରତରେ ଏଣ୍ଡେମିକ ପର୍ଯ୍ୟାୟରେ ପହଞ୍ଚିବ। ଏହାର ଅର୍ଥ ଭାରତରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣ ସ୍ତରର ସଂକ୍ରମଣ ସ୍ଥିତି ରହିବ। ତେଣୁ କରୋନା ବିରୋଧରେ ଜାରି ଲଢ଼େଇ ଆହୁରି ସହଜ ହେବ। ଭାରତରେ ଚାଲିଥିବା ଟିକାକରଣରୁ କରୋନା ବିରୋଧରେ ସୁରକ୍ଷା ମିଳିବ। ଯଦି ମୃତ୍ୟୁହାର ନିୟନ୍ତ୍ରଣରେ ରହିବ ତା’ହେଲେ ରୋଗକୁ ଆମେ ବେଶ ସହଜରେ ମୁକାବିଲା କରିପାରିବା। ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ମଧ୍ୟ ରୋଗର ଗୁରୁତର ପ୍ରଭାବ ପଡ଼ିବ ନାହିଁ। ଟିକା କରୋନା ବିରୋଧରେ ସବୁଠାରୁ ବଡ଼ ସୁରକ୍ଷା କବଚ ବୋଲି ସେ କହିଛନ୍ତି।

ବର୍ତ୍ତମାନ ୭୫ କୋଟି ଡୋଜ୍‌ ଟିକାକରଣ ହୋଇଛି। ଯଦି ଟିକାର ପ୍ରଭାବ ୭୦ ପ୍ରତିଶତ ରହିଲେ ପ୍ରାୟ ୫୦ କୋଟି ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି। ଟିକାର ଗୋଟିଏ ଡୋଜ୍‌ ୩୦ରୁ ୩୧ ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ। ତେଣୁ ଯେଉଁ ୩୦ କୋଟି ଲୋକ ଗୋଟିଏ ଲେଖାଏ ଡୋଜ୍‌ ନେଇଛନ୍ତି ସେମାନଙ୍କ ଶରୀରରେ କିଛି ପରିମାଣର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି। ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କୁ କୋଭିଡର ଉଚିତ ବ୍ୟବହାର କରିବାକୁ ପଡ଼ିବ। ବ୍ରେକଥ୍ରୁ ଇନଫେକ୍ସନ ବା ଟିକା ନେବା ପରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ହେଲେ ଏହା ୨୦ରୁ ୩୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଦେଖାଯିବ। ସମସ୍ତଙ୍କ କ୍ଷେତ୍ରରେ ସମାନ ଘଟଣା ଘଟି ନପାରେ ବୋଲି ଶ୍ରୀ ସିଂହ କହିଛନ୍ତି।

ସେ କହିଛନ୍ତି ନୂଆ ଭ୍ୟାରିଏଣ୍ଟ ପାଇଁ ବ୍ରେକଥ୍ରୁ ଇନଫେକ୍ସନ ହେଉଛି। ବୈଜ୍ଞାନିକମାନେ କହିଛନ୍ତି ଟିକାର ଉଭୟ ଡୋନ ନେବାର ୭୦ରୁ ୧୦୦ ଦିନ ପରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଏହାଦ୍ୱାରା ସଂକ୍ରମଣ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟାପିବାର ଆଶଙ୍କା ରହିଛି। କିନ୍ତୁ ଭାରତରେ ବର୍ତ୍ତମାନ କରୋନାର କୌଣସି ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ହୋଇନି। ବିଭିନ୍ନ ରାଷ୍ଟ୍ରରେ ଚିନ୍ତା ବଢ଼ାଇଥିବା c1.2 ଓ ମୁ ଷ୍ଟ୍ରେନ ଏଯାଏ ଭାରତରେ ଠାବ ହୋଇନି। କେବେ ହେଲେ କେବଳ ଗୋଟିଏ ଭ୍ୟାରିଏଣ୍ଟ ତୃତୀୟ ଲହରର କାରଣ ହୋଇପାରିବନି। ସବୁକିଛି ଲୋକଙ୍କ ବ୍ୟବହାର ଓ ଆଣ୍ଟିବଡି ଉପରେ ନିର୍ଭର କରୁଛି। ଆଗକୁ ପାର୍ବଣ ଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button