ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ : ଆପ୍ ମୁଖପାତ୍ର

ନୂଆଦିଲ୍ଲୀ : ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକ ମୁମ୍ବାଇରେ ହେବାକୁ ଯାଉଛି। ଏହି ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆମ୍ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀ ଚେହେରା ଭାବେ ଆଣିବାକୁ ଇଚ୍ଛା ପ୍ରକାଶ କରିଛି।
ଖବର ଅନୁଯାୟୀ ଆପର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରିୟଙ୍କା କକ୍କଡ ଗଣମାଧ୍ୟମକୁ କହିଛନ୍ତି ଯଦି ମୋତେ କେହି ପଚାରନ୍ତି ତେବେ ମୁଁ ଚାହିଁବି ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ। ସେ କହିଛନ୍ତି ଦେଶରେ ମହଙ୍ଗା ମାଡ ଜାରି ରହିଥିଲେ ହେଁ ଦିଲ୍ଲୀରେ ଏହା ବେଶ କମ। ଏଠାରେ ମାଗଣାରେ ପାଣି, ଶିକ୍ଷା, ବିଜୁଳି, ମହିଳାଙ୍କ ପାଇଁ ମାଗଣାରେ ବସ୍ ଯାତ୍ରା, ବୟସ୍କଙ୍କ ପାଇଁ ମାଗଣାରେ ତୀର୍ଥ ଯାତ୍ରା ଯୋଗାଇ ଦିଆଯାଇଛି। ଉପସ୍ଥାପନ କରାଯାଇଛି ସରପ୍ଲସ ବଜେଟ୍। କେଜ୍ରିୱାଲ ଲୋକଙ୍କ ଦାବି ଉଠାଉ ଥିବା ବେଳେ ଶାସକ ଦଳ ପାଇଁ ହୋଇଛନ୍ତି ଚ୍ୟାଲେଞ୍ଜ।
ଇଣ୍ଡିଆ ମେଣ୍ଟର ବୈଠକରେ ସାମିଲ ହେବାକୁ ଆସନ୍ତାକାଲି ସବୁ ବିରୋଧୀ ଦଳର ନେତା ମୁମ୍ବାଇରେ ଏକଜୁଟ୍ ହେବେ। ସନ୍ଧ୍ୟା ୬.୩୦ରେ ବିରୋଧୀ ଦଳର ନେତାଙ୍କୁ ସ୍ୱାଗତ କରାଯିବ। ଏହାପରେ ହେବ ଅନୌପଚାରିକ ବୈଠକ। ରାତି ୮ଟାରେ ରାତ୍ରଭୋଜନ। ସେପ୍ଟେମ୍ବର ୧ ତାରିଖରେ ବିରୋଧୀ ମେଣ୍ଟର ଔପଚାରିକ ବୈଠକ। ଏଥିରେ ମେଣ୍ଟର ଲୋଗୋ ଜାରି କରାଯିବ ବୋଲି ଜଣାପଡିଛି।



























