କୋଭିଡ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର କ୍ଷତିପୂରଣ

ନୂଆଦିଲ୍ଲୀ : କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ)ରୁ ୫୦ ହଜାର ଟଙ୍କା ଅନୁଗ୍ରହ ରାଶି ମିଳିବ। ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏହି ତଥ୍ୟ ରଖିଛନ୍ତି।

ସୁପ୍ରିମକୋର୍ଟ ଗତ ଜୁନମାସରେ ବିପର୍ଯ୍ୟୟ ପରିଚାଳନା ଆକ୍ଟ ୨୦୦୫ରେ କୋଭିଡ ମୃତକଙ୍କ ନିକଟ ସମ୍ପର୍କିୟଙ୍କୁ ଅନୁଗ୍ରହ ରାଶି ପ୍ରଦାନ ଲାଗି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଏନଡିଏମଏ ଏକ ମାର୍ଗଦର୍ଶିକା ଜାରି କରିଥିବା କେନ୍ଦ୍ର ସରକାର ସୂଚିତ କରିଥିଲେ। ଫଳରେ ରାଶି ସ୍ଥିର କରିବା ଲାଗି କୋର୍ଟ ୬ ସପ୍ତାହ ସମୟ ଦେଇଥିଲେ। ପରେ ଏହି ସମୟ ବାରମ୍ବାର ପରିବର୍ଦ୍ଧିତ ହୋଇଥିଲା। ବିଳମ୍ବକୁ ନେଇ ସୁପ୍ରିମକୋର୍ଟଙ୍କ ଜଷ୍ଟିସ ଏମ.ଆର.ଶାହ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ବେଞ୍ଚ ଅଶନ୍ତୋଷ ପ୍ରକାଶ କରିଥିଲେ।

ତେବେ ସରକାର ଦାଖଲ କରିଥିବା ଆଫିଡେଭିଟ୍‌ରେ କହିଛନ୍ତି ଭବିଷ୍ୟତରେ କୋଭିଡ ମୃତ୍ୟୁ ପାଇଁ ଅନୁଗ୍ରହ ରାଶି ପ୍ରଦାନ କରାଯିବ। କ୍ଷତିପୂରଣ ଦାବି ଲାଗି ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟଙ୍କ ଗାଇଡଲାଇନ ଅନୁସାରେ ମୃତ୍ୟୁର କାରଣ କୋଭିଡ-୧୯ ପ୍ରମାଣିତ କରୁଥିବା ଜରୁରୀ। ଆବଶ୍ୟକ କାଗଜପତ୍ର ଦାଖଲର ୩୦ ଦିନ ମଧ୍ୟରେ କୋଭିଡ ମୃତ୍ୟୁ ସମ୍ପର୍କିତ ସମସ୍ତ ଦାବିର ସମାଧାନ କରାଯିବ ଓ ଏହା ଆଧାର ସଂଯୁକ୍ତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ପ୍ରକ୍ରିୟାରେ ପ୍ରଦାନ କରାଯିବ। ଏହାଛଡା କୋଭିଡ-୧୯ ପୀଡ଼ିତଙ୍କ ପରିଜନଙ୍କୁ ସହାୟତା ଯୋଗାଇ ଦିଆଯିବ। ଯେଉଁମାନେ କରୋନା ପ୍ରସ୍ତୁତି ଗତିବିଧି କିମ୍ବା ରିଲିଫ କାର୍ଯ୍ୟରେ ସାମିଲ ବେଳେ ଭୂତାଣୁ ସଂକ୍ରମିତ ହୋଇଥିଲେ ସେମାନଙ୍କ ପରିବାର ଏହି ଅନୁଗ୍ରହ ରାଶି ପାଇବାକୁ ହକଦାର ହେବେ।

Leave a Reply

Your email address will not be published. Required fields are marked *

Back to top button