ଦୁର୍ନୀତିଗ୍ରସ୍ତ କୋଟିପତି ବାବୁଙ୍କ ତାଲିକା ବଢୁଛି : କିଏ କେଉଁଠି ଜଗିଛି ?

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଅଧିନସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଅନେକ ଦୁର୍ନୀତିଗ୍ରସ୍ତ। ସେଥିପାଇଁ ବିନା ଲାଞ୍ଚରେ କେଉଁଠି କାମ ହେଉନି। ଲାଞ୍ଚଦେଲେ ମଧ୍ୟ ଲୋକଙ୍କୁ ବାରମ୍ବାର ଅଫିସକୁ ଦୌଡିବାକୁ ପଡୁଛି। ଏପରି ଅଭିଯୋଗ ହେଉଥିଲା। ନବରଂଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ପରି କୋଟିପତି ବାବୁଙ୍କ ଘରୁ ବିପୁଳ ପରିମାଣର ଆୟବର୍ହିଭୂତ ସଂପତ୍ତି ଠାବ ହେବାପରେ ଏହା ପ୍ରମାଣିତ ହୋଇଛି। ତେବେ ଏଥିପାଇଁ କିଏ ଦାୟୀ ? ସରକାରଙ୍କ ଗୁଇନ୍ଦା ବିଭାଗ ପାଖରେ ଏ ସମ୍ପର୍କରେ କିଛି ଖବର ଥିଲାକି ? ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଦୁର୍ନୀତିଖୋରଙ୍କୁ ଚାକିରିରୁ ବିଦା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସତ୍ତ୍ୱେ ମଧ୍ୟ ଦୁର୍ନୀତି କମିବା ପରିବର୍ତ୍ତେ ବଢୁଛି। ଯାହା ସବୁ ମହଲକୁ ଆଶ୍ଚର୍ଯ୍ୟ କରିଛି।

ଖବର ଅନୁଯାୟୀ ବରିଷ୍ଠ ନେତା ଡାକ୍ତର ଦାମୋଦର ଥିଲେ ରାଉତ ପଞ୍ଚୟତିରାଜ ମନ୍ତ୍ରୀ। ସେହି ସମୟରେ ମାର୍ଚ୍ଚ ୫ ତାରିଖରେ ପାଳିତ ପଞ୍ଚୟତିରାଜ ଦିବସରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ସଭାରେ ଉପସ୍ଥିତ ପଞ୍ଚାୟତସ୍ତରୀୟ ନିର୍ବାଚିତ ପ୍ରତିନିଧି। ସେମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଆପଣମାନେ ପଞ୍ଚାୟତ ଜଗନ୍ତୁ, ମୁଁ ସଚିବାଳୟ ଜଗିଛି। ବର୍ତ୍ତମାନର ଦୁର୍ନୀତିକୁ ଦେଖିଲେ କିଏ କେଉଁଠି ଜଗିଛି ତାହା ଜଣାପଡୁନାହିଁ।

ସେହିପରି ଛାୟା ଦୁର୍ନୀତି ଅଭିଯୋଗରେ ବରିଷ୍ଠନେତା ସ୍ଵର୍ଗତ ନଳିନୀକାନ୍ତ ମହାନ୍ତିଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରଯାଇଥିଲା। ଏବେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଛି କେମିତି ? ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ କହିଥିଲେ ଯଦି ଦୁର୍ନୀତିକୁ ନୀତିରେ ପରିଣତ କରାଯାଏ ତେବେ ଏ ପ୍ରସଙ୍ଗ ଆଉ ଉଠିବନି। ବୋଧହୁଏ ମହତାବଙ୍କ ସେଦିନର କଥାକୁ ରାଜ୍ୟରେ ଅଲିଖିତ ଭାବେ କାର୍ଯ୍ୟକାରୀ କରାଯାଇଛି ବୋଲି ଲୋକେ କହୁଛନ୍ତି। ଏହାଛଡା ଜଣେ ବରିଷ୍ଠ ଅଧିକାରୀଙ୍କ ମତ ଏବେ ଦୁର୍ନୀତି ରୋକିବା ସମ୍ଭବ ନୁହେଁ। କାରଣ ଏହି ବ୍ୟାଧି ତଳୁ ଉପରାଯାଏ ଗ୍ରାସ କରିଛି। ସ୍ତର ଅନୁଯାୟୀ ହେଉଛି ଲାଞ୍ଚ କାରବାର। ଯାହାର ପ୍ରାପ୍ୟ ଯେତେ ସିଏ ନେଉଛି। ହେଲେ କେହି ନେବାକୁ ମନା କରୁନି। ଏଭଳି ସ୍ଥିତିରେ ରାଜ୍ୟରେ ଦୁର୍ନୀତି କେମିତି କମିବ ବୋଲି ସେ ପ୍ରଶ୍ନ କରିଥିଲେ।

ଅନ୍ୟପକ୍ଷରେ ରାଜ୍ୟରେ ଭିଜିଲାନ୍ସ ବିଭାଗ କ୍ରିୟାଶୀଳ ହୋଇଛି। ସରକାରଙ୍କ ଅଧିନରେ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ଧରାପଡ଼ୁଛନ୍ତି। ଠାବ ହେଉଛି ଆୟବର୍ହିଭୂତ ସଂପତ୍ତି। ଏହି ତାଲିକାରେ କେବଳ ନବରଂଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ନୁହଁନ୍ତି ଅନେକ ଅଛନ୍ତି। ବିଗତ ୭ ବର୍ଷ ମଧ୍ୟରେ ୬ ଜଣ ସରକାରୀ ବାବୁଙ୍କ ଠିକଣାରୁ ନଗଦ କୋଟି କୋଟି ଟଙ୍କା ଜବତ ହୋଇଛି। ଗଂଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ଵର ରାଉଳଙ୍କ ଠିକଣାରେ ୨୦୨୨ ଏପ୍ରିଲ ୭ ତାରିଖରେ ଭିଜିଲାନ୍ସ ବିଭାଗ ଜବତ କରିଥିଲା ନଗଦ ୩,୪୧,୬୬,୨୮୦ କୋଟି ଟଙ୍କା। ସେହିବର୍ଷ ମାର୍ଚ୍ଚ ୨୫ରେ ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଠାରୁ ନଗଦ ୧,୪୦,୧୮,୦୭୦ ଟଙ୍କା ଜବତ ହୋଇଥିଲା।

ସେହିପରି ଗତବର୍ଷ ଫେବ୍ରୁଆରି ୨୪ରେ ପୁରୀ ଜିଲ୍ଲା ନିମାପଡା, ଚାରିଛକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁକାନ୍ତ ଜେନାଙ୍କ ଠିକଣାରୁ ନଗଦ ୧,୧୩,୧୬,୭୨୦ ଟଙ୍କା, ଡିସେମ୍ବର ୨୧ରେ କୋରାପୁଟ ଜିଲ୍ଲା ସୀମାଗୋଡ଼ା ଇଡ୍‌କଲ୍ ଅମ୍ପାଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଠିକଣାରୁ ନଗଦ ୧,୦୬,୪୪,୫୦୦ ଟଙ୍କା ଜବତ ହୋଇଥିଲା। ଏହାଛଡା ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ଠିକଣାରୁ ୨୦୧୬ ଫେବ୍ରୁଆରି ୨୫ରେ ନଗଦ ୧,୦୭,୭୦,୦୦୦ ଟଙ୍କା ଭିଜିଲାନ୍ସ ଜବତ କରିଥିଲା। ଯାହାଫଳରେ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button