ମହେନ୍ଦ୍ରଗିରି ଓ ଚନ୍ଦ୍ରଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୁକ୍ତ ହେବ : ମୁଖ୍ୟ ସଚିବ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି। ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ରାସ୍ତାରେ ତୁମ୍ବା-ପୁରିଆ ସାହି-ବୁର୍ଖତ ଆଦି ସ୍ଥାନ ଦେଇ ଶ୍ରୀ ମହାପାତ୍ର ମହେନ୍ଦ୍ରଗିରିର କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ପରିଦର୍ଶନ କରିବା ସହିତ ମହେନ୍ଦ୍ରଗିରି ଶିଖର ଅଞ୍ଚଳରେ ପର୍ଯ୍ୟଟନ ବିକାଶର ସମ୍ଭାବନା ଅନୁଧ୍ୟାନ କରିଥିଲେ।
ଏସବୁ ମନ୍ଦିର ଓ ମହେନ୍ଦ୍ରଗିରିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରିବା ପାଇଁ ସେ ଆବଶ୍ୟକୀୟ ନିର୍ଦ୍ଦେଶମାନ ଦେଇଥିବା ବେଳେ ମହେନ୍ଦ୍ରଗିରି ଜୈବ ଅଞ୍ଚଳର ଜୈବବିବିଧତା ବୃଦ୍ଧି କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପର୍ଯ୍ୟଟକମାନଙ୍କ ନିମନ୍ତେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ରାସ୍ତାକୁ ସଂଯୋଜିତ କରୁଥିବା ସ୍ଥାନ ବୁର୍ଖତଠାରେ ପର୍ଯ୍ୟଟକ-ରହଣି କ୍ୟାମ୍ପ୍ ଓ ସୁବିଧା କେନ୍ଦ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ଗସ୍ତକାଳରେ ମୁଖ୍ୟ ଶାସନ ସଚିବ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଓ ଖସଡ଼ା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦିର ସମୀକ୍ଷା କରିଥିଲେ। ସେଥିରୁ ଜଣାପଡ଼ିଛି ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛିା ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏହି ପ୍ରକଳ୍ପ ଗଜପତି ଜିଲ୍ଲାର ୫୦୦ ହେକ୍ଟର ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୬୦୦୦ ହେକ୍ଟର ଜମିକୁ ଜଳସେଚିତ କରିବ। ଏହି ଗସ୍ତ ସମୟରେ ରାଜସ୍ୱ ଡିଭିଜନ୍ କମିଶନର ଡି. ଓ୍ୱାପାଙ୍ଗ୍ ଆଓ ଓ ଗଜପତିର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ।