ରାଜ୍ୟର ଅଣ ବିଜେପି ଓ ଅଣ ବିଜେଡ଼ି ରାଜନୈତିକ ଦଳ ଗୋଷ୍ଠୀର ବୈଠକ

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅଣ ବିଜେପି ଓ ଅଣ ବିଜେଡ଼ି ରାଜନୈତିକ ଦଳ ଗୋଷ୍ଠୀର ନେତୃବୃନ୍ଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନେତୃବୃନ୍ଦଙ୍କ ପରାମର୍ଶ କ୍ରମେ ୧୬ଟି ବିରୋଧି ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ୧୭ ଜଣିଆ ସଂଯୋଜନା କମିଟି ଗଠନ କରାଯାଇଛି। କମିଟିରେ ପିସିସି ସଭାପତି ଶରତ ପଟ୍ଟନାୟକ ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସଂଯୋଜକ ଓ ସମସ୍ତ ମେଂଟଭୁକ୍ତ ରାଜନୈତିକ ଦଳମାନଙ୍କର ନେତୃବୃନ୍ଦ ସଭ୍ୟ ଭାବେ ରହିଛନ୍ତି। ବିଜେଡ଼ି ଓ ବିଜେପିର ଜନ ବିରୋଧି ନୀତି ବିରୁଦ୍ଧରେ ଜନଆନ୍ଦୋଳନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଆକାଶଛୁଆଁ ଦରବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ବ୍ୟାପକ ଦୁର୍ନୀତି, ଚାଷ ଓ ଚାଷୀ ସମସ୍ୟା, ନାରି ନିର୍ଯାତନ ଆଦିକୁ ନେଇ ଆନ୍ଦୋଳନ କରାଯିବ।

ଗଣତନ୍ତ୍ର ଓ ଲୋକ ପ୍ରତିନିଧି ମୂଳକ ଶାସନ ବ୍ୟବସ୍ଥା ରାଜ୍ୟରେ ବିଜେଡ଼ି ସରକାର ଏବଂ କେନ୍ଦ୍ରରେ ବିଜେପି ସରକାର ଦ୍ୱାରା ସଂପୂର୍ଣ ଭ୍ରଷ୍ଟ ହୋଇଛି । ପଂଚାୟତରୁ ବ୍ଲକ ଓ ସଚିବାଳୟର ସର୍ବୋଚ୍ଚ ସ୍ତରଯାଏ ଦୁର୍ନୀତି, ଅନିୟମିତତା, ବାବୁସାହି ଏବଂ ଶାସନ କଳର ଅପବ୍ୟବହାର କାୟା ବିସ୍ତାର କରିଛି । କମ୍ପାନୀ ମାଲିକ ମାନଙ୍କ ହାତରେ ସରକାର ବନ୍ଧା ପଡ଼ିଛି । ନିରିହ ଆଦିବାସୀ ଓ ଦଳିତ ମାନଙ୍କ ଉପରେ ପୋଲିସ ଜୁଲମ ବଢ଼ିଚାଲିଛି । ସାଧାରଣ ଟିକସଦାତା ଅର୍ଥକୁ ସରକାରୀ ଅଫିସର ମନମୁଖି ଅନିୟମିତତା ଭାବେ ଖର୍ଚ୍ଚ କରୁଛନ୍ତି । ରାଜ୍ୟ ରାଜକୋଷ ଲୁଟ ହେଉଛି । ପଛୁଆ ବର୍ଗର ଲୋକମାନେ ଅବହେଳାର ଶିକାର ହେଉଛନ୍ତି । ଚାକିରି ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ପାଇଁ ସଂରକ୍ଷଣ ନାହିଁ । କେବଳ ଭୋଟରଙ୍କୁ ଭୁଆଁ ବୁଲାଇବା ପାଇଁ ଯୋଜନା କରାଯାଉଛି । ରାଜ୍ୟର ଭବିଷ୍ୟତ ବିପନ୍ନ ଏଥିପାଇଁ ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ଆକ୍ରୋ ବଢ଼ିବାରେ ଲାଗିଛି । ବଢ଼ିଚାଲିଥିବା ଜନଆକ୍ରୋଶକୁ ଆନ୍ଦୋଳନର ରୂପ ଦେବାପାଇଁ ଆଗାମୀ ପ୍ରଥମ ସପ୍ତାହରେ ରାୟଗଡ଼ା ଠାରେ ଓ ଦ୍ୱିତୀୟ ସପ୍ତାହରେ ରାଉରକେଲା ଠାରେ ଜନଆକ୍ରୋଶ ସମାବେଶ ଆୟୋଜନ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ସେହିଭଳି ଡିସେମ୍ବର ମାସ ପ୍ରଥମ ସପ୍ତାହରେ ସମ୍ବଲପୁର ଠାରେ ଓ ଦ୍ୱିତୀୟ ସପ୍ତାହରେ ବାଲେଶ୍ୱର ଠାରେ ମଧ୍ୟ ଜନ ଆକ୍ରୋଶ ସମାବେଶ ଆୟୋଜନ କରାଯିବ ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ରାଜ୍ୟ ସଂପାଦକ ଅଭୟ ସାହୁ, ସିପିଆଇଏମ ରାଜ୍ୟ ସଂପାଦକ ଅଳିକିଶୋର ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ସିପିଆଇ (ଏମଏଲ) –ଏଲ ର ସଂପାଦକ ଯୁଧିଷ୍ଠୀର ମହାପାତ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଅଲଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସଂପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଜେଡିୟୁର ରାଜ୍ୟ ସଭାପତି ଚିତରଞ୍ଜନ ମହାନ୍ତି, ସିପିଆଇ (ଏମଏଲ) – ରେର୍ଡଷ୍ଟାର, ରାଜ୍ୟ ସଂପାଦିକା ପ୍ରମିଳା ବେହେରା, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆରପିଆଇ ରାଜ୍ୟ ମୁଖ୍ୟ ସେକ୍ ଅବଦୁଲ ୱାଲି, ଆମଆଦମି ପାର୍ଟିର ପ୍ରତିନିଧି ସୁଦିପ୍ତ ଦାସ, ସୌମ୍ୟ ରଞ୍ଜନ ସ୍ୱାଇଁ, ସମାଜବାଦୀ ପାର୍ଟିର ସାଧାରଣ ସଂପାଦକ ସଂଜୟ ନାୟକ, ତୃଣମୂଳ କଂଗ୍ରେସର ପ୍ରତିନିଧି ନନ୍ଦନ ପାଲ, ସମତାକ୍ରାନ୍ତି ଦଳର ପ୍ରଭାତ ସାମନ୍ତରାୟ, ଆରଜେଡିର ହେମନ୍ତ କୁମାର ପ୍ରମୁଖ ୧୬ଟି ଦଳର ନେତୃବୃନ୍ଦ ବୈଠକରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button