ଡିସେମ୍ବରରେ ଲୋକସଭା ନିର୍ବାଚନ କରିବାକୁ ଚାହୁଁଛି ବିଜେପି : ମମତା ବାନାର୍ଜୀ

କୋଲକାତା : ଭାରତୀୟ ଜନତା ପାର୍ଟି ଯଦି ଡିସେମ୍ବରରେ ଲୋକସଭା ନିର୍ବାଚନ ଆୟୋଜନ କରେ ତେବେ ଆଶ୍ଚର୍ଯ୍ୟ ହେବାର ନାହିଁ। ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ।
ଖବର ଅନୁଯାୟୀ ମମତା କହିଛନ୍ତି ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ବିଜେପି ସମସ୍ତ ହେଲିକପ୍ଟର ବୁକ୍ କରିସାରିଛି। ଫଳରେ ଅନ୍ୟ ରାଜନୈତିକ ଦଳମାନେ ଏହାକୁ ପ୍ରଚାର ପାଇଁ ବ୍ୟବହାର କରିପାରିବେ ନାହିଁ। କେବଳ ସେତିକି ନୁହେଁ ବିଜେପି ଦେଶରେ ଥିବା ବିଭିନ୍ନ ସଂପ୍ରଦାୟଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟିକରୁଛି। ଆଗାମୀ ନିର୍ବାଚନରେ ଆମେ ସମସ୍ତେ ମିଶି ବିଜେପିକୁ ହରାଇବା। ଏପରି ଯଦି ନହୁଏ ତେବେ ବିଜେପି ଆମ ଦେଶକୁ ଏକ ଘୃଣାପରିପୂର୍ଣ୍ଣ ଦେଶରେ ପରିଣତ କରିଦେବ।
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ସମାଲୋଚନା କରି ସେ କହିଛନ୍ତି ରାଜ୍ୟପାଳ ସାମ୍ବିଧାନିକ ନିୟମ ଉଲ୍ଲଂଘନ କରୁଛନ୍ତି। ମୁଁ ଏହି ପଦକୁ ସମ୍ମାନ କରୁଛି କିନ୍ତୁ ତାଙ୍କ ଅସାମ୍ବିଧାନିକ କାର୍ଯ୍ୟକଳାପକୁ ସମର୍ଥନ କରୁନାହିଁ।