କାରଗିଲ ଯୁଦ୍ଧରେ ଦେଶର ରକ୍ଷା କଲି କିନ୍ତୁ ପତ୍ନୀକୁ ଉଲଗ୍ନ କରୁଥିବା ଲୋକଙ୍କୁ ଅଟକାଇ ପାରିଲିନି : ପୀଡିତାଙ୍କ ସ୍ଵାମୀ

ଇମ୍ଫାଲ : ମଣିପୁରରେ ଦୁଇଜଣ ମହିଳାଙ୍କୁ ଦୁଷ୍କର୍ମ ପରେ ଉଲଗ୍ନ କରି ବୁଲାଇବା ଓ ଅସଦାଚରଣ କରିବା ପରି ଲଜ୍ଜାଜଣକ ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୀଡିତାଙ୍କ ମଧ୍ୟରେ ରହିଛନ୍ତି ଜଣେ ପୂର୍ବତନ ସୈନିକଙ୍କ ପତ୍ନୀ। ଯିଏ ୧୯୯୯ କାରଗିଲା ଯୁଦ୍ଧରେ ଦେଶ ପାଇଁ ଲଢିଥିଲେ। ଆଜି ସେ ପ୍ରଶ୍ନ କରୁଛନ୍ତି ମୁଁ ଦେଶକୁ ରକ୍ଷା କରିଥିଲି ହେଲେ ପତ୍ନୀକୁ ଉଲଗ୍ନ କରୁଥିବା ଲୋକଙ୍କୁ ଅଟକାଇ ପାରିଲିନି।

ଖବର ଅନୁଯାୟୀ ଦୁଇ ପୀଡ଼ିତାଙ୍କ ମଧ୍ୟରୁ ଜଣକଙ୍କ ସ୍ଵାମୀ ଭାରତୀୟ ସେନାର ଜଣେ ପୂର୍ବତନ ସୁବେଦାର ‌ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ସ୍ଵାମୀ କହିଛନ୍ତି କାରଗିଲ ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ଲଢ଼ିଥିଲି। କିନ୍ତୁ ଲୋ‌କେ ସ୍ତ୍ରୀଙ୍କୁ ବିବସ୍ତ୍ର କରି ବୁଲାଉଥିବା ବେଲେ ମୁଁ ତାହାକୁ ଅଟକାଇ ପାରିଲିନାହିଁ। ତାଙ୍କୁ ସୁରକ୍ଷା କିମ୍ବା ଅପମାନିତ ହେବାରୁ ବଞ୍ଚାଇ ପାରିଲି ନାହିଁ। ସେଥିପାଇଁ ନିଜକୁ ଦୋଷୀ ମନେ କରୁଛି। ପୋଲିସକୁ ନି‌ବେଦନ କରୁଛି ଦୋଷୀକୁ କଠୋର ଦଣ୍ଡ ଦିଆଯାଉ। ଯେମିତି ଆଉ ଆଗକୁ ଏମିତି କାମ କେହି କରିବାକୁ ଚିନ୍ତା କରିବେନି।

ସୂଚନାଯୋଗ୍ୟ ମଣିପୁରରେ କୁକି-ଜୋମି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ଖବର ମିଳିବା ପରେ ବହୁସଂଖ୍ୟକ ଉତ୍ତ୍ୟକ୍ତ ଲୋକ ମଣିପୁରର ଥୌବାଲ୍‌ ଜିଲ୍ଲା ଅନ୍ତର୍ଗତ ୟାଇରୀପୋକ୍‌ ଗ୍ରାମରେ ଏକତ୍ର ହୋଇଥିଲେ। ସେମାନେ ମୁଖ୍ୟ ଅଭିଯୁକ୍ତ ହୁଇରେମ୍‌ ହେରୋଦାସ ମୈତେଈଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଅନ୍ୟପକ୍ଷରେ
ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂହ କହିଛନ୍ତି ଘଟଣାର ଅଧିକ ତଦନ୍ତ ଚାଲିଛି। ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯାଇ ଦେଶର ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ। ଗିରଫ ଅଭିଯୁକ୍ତଙ୍କୁ କଡ଼ାରୁ କଡ଼ା ଦଣ୍ଡ ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button