ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ

ଭୁବନେଶ୍ଵର : ଜଟଣୀ ବିଧାୟକ ସୁର ରାଉତରାୟ ପୁଅ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନିଆଯାଇଛି ଏହି ଦଳୀୟ କାର୍ଯ୍ୟାନୁଷ୍ଠାନ।

ଖବର ଅନୁଯାୟୀ ମନ୍ମଥ କଂଗ୍ରେସରେ ପିସିସି ସଦସ୍ୟଥିଲେ। କିଛିଦିନ ତଳେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। କହିଥିଲେ ସେ ସ୍ୱାଧୀନ ଓ ତାଙ୍କର କେଉଁ ରାଜନୈତିକ ଦଳ ସହ ସଂପୃକ୍ତି ନାହିଁ। ଏଥିପାଇଁ ତାଙ୍କୁ କଂଗ୍ରେସ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସେ ଉତ୍ତର ନଦେବାରୁ ଦଳରୁ ନଲମ୍ବନ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଦର୍ଶାଇଛନ୍ତି।

କଂଗ୍ରେସରୁ ନିଲମ୍ବିତ ହେବା ପରେ ମନ୍ମଥ କହିଛନ୍ତି ମୋ ବ୍ୟାକ୍‌ଗ୍ରାଉଣ୍ଡ ନଜାଣି ମୋତେ ପିସିସି ସଦସ୍ୟ କରିଥିଲେ। ମୁଁ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ। ଏକଥା ଭେରିଫାଏ କରିବାର କଥା। ପ୍ରଥମ ମୋତେ ସଦସ୍ୟ କରିବା ଭୁଲ୍ ଥିଲା। ଏବେ ଭୁଲ୍ ଉପରେ ଭୁଲ୍‌ କରୁଛନ୍ତି। ଭୁଲ୍‌ରେ ସଦସ୍ୟ କଲେ, ଏବେ ସସ୍‌ପେଣ୍ଡ କରି ପୁଣି ଭୁଲ୍‌ କଲେ। ଭଲ ହେଲା ମୋତେ ଆଉ ରେକ୍ଟିଫାଏ କରିବା ଦରକାର ନାହିଁ। ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି।

ଅନ୍ୟପକ୍ଷରେ ସୁର ରାଉତରାୟ କହିଛନ୍ତି ମୋ ପରିବାରରେ କିଛି ଅଶାନ୍ତି ନାହିଁ। ସାନ ପୁଅ ମନ୍ମଥ ଚାକିରି କରିଛି। ତାର ଇସ୍ତଫା ଏଯାଏ ଗ୍ରହଣ ହୋଇନି। ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ହେବ। ମନ୍ମଥ ଜଟଣୀରୁ ଠିଆ ହେବ। ମୋ ୨ ପୁଅଙ୍କୁ ମୁଁ ଯେତେବେଳେ ଯାହା କହିବି ସେମାନେ ମାନିବେ। ନିଲମ୍ବନକୁ ଗ୍ରହଣ କରୁଛୁ। ଆଶା କଂଗ୍ରେସ ଆମକଥା ବିଚାର କରିବ।

Leave a Reply

Your email address will not be published. Required fields are marked *

Back to top button