ମରୁଡିର ସଠିକ ଅର୍ଥ ବୁଝିବାର ସାମର୍ଥ୍ୟ ରାଜ୍ୟ ସରକାରଙ୍କର ନାହିଁ : ମନମୋହନ

ଭୁବନେଶ୍ୱର : ମରୁଡିର ବ୍ୟାପକତା ଦୃଷ୍ଟିରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ, ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ବିଜେପିର ୪ଟି ଟିମ୍ ରାଜ୍ୟର ବିଭିନ୍ନ ୨୫୦ଟି ଅଂଚଳ ଗସ୍ତ କରି ମରୁଡି ପରିସ୍ଥିତିର ସରଜମିନ୍ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ବାସ୍ତବ ସ୍ଥିତି ନିରୀକ୍ଷଣ ପରେ ମରୁଡି ଅଂଚଳ ଗସ୍ତ କରିଥିବା ସମସ୍ତ ଟିମ୍‌ର ରିପୋର୍ଟ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରାଯାଇ ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।

ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ଅଭିଯୋଗ କରିଛନ୍ତି ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାରେ ବ୍ୟାପକ ମରୁଡି ପରିଲକ୍ଷିତ ହେବା ସହିତ ଚାଷୀକୂଳର ମେରୁଦଣ୍ଡ ଭାଙ୍ଗି ଦେଇଛି । ମରୁଡିଜନିତ କ୍ଷତକ୍ଷତିର ଶିକାର ହୋଇ ବଲାଙ୍ଗୀର ଜିଲ୍ଲାର ତୁରେଇକେଲା ଏବଂ ପାଟଣାଗଡ ଅନ୍ତର୍ଗତ ଭାଲୁଝରି ଗ୍ରାମର ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ବର୍ତମାନର ମରୁଡି ସ୍ଥିତି ଗମ୍ଭୀର ବିଷୟ ହୋଇଥିବାବେଳେ ରାଜ୍ୟ ସରକାର ବର୍ତମାନ ସୁଦ୍ଧା ଏହାକୁ ଗମ୍ଭୀରତାର ସହ ନେଇନାହାନ୍ତି । ଗତକାଲି ବିଧାନସଭା ଗୃହରେ ରାଜସ୍ୱ ମନ୍ତ୍ରୀଙ୍କ ବିବୃତିରୁ ଏହା ସ୍ପଷ୍ଟ ହୋଇଛି ।

ସେ କହିଲେ ବର୍ତମାନ ସୁଦ୍ଧା ମରୁଡି କ୍ଷତିଗ୍ରସ୍ତ ଅଂଚଳକୁ ଆରଆଇ ଠାରୁ ଆରମ୍ଭ କରି କଲେକ୍‌ଟର ପର୍ଯ୍ୟନ୍ତ କୈାଣସି ଅଧିକାରୀ କିମ୍ବା ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ଯାଇନାହାନ୍ତି । କେଉଁ ଆଧାରରେ ମରୁଡି କ୍ଷୟକ୍ଷତି ଆକଳନ କରାଯାଉଛି ଏବଂ କେଉଁ ତଥ୍ୟକୁ ଆଧାର କରି ରାଜ୍ୟ ସରକାର ମରୁଡି ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ବିଧାନସଭାରେ ଉତର ଦେଇଛନ୍ତି ? ମରୁଡିର ସଠିକ ଅର୍ଥ ବୁଝିବାର ସାମର୍ଥ୍ୟ ରାଜ୍ୟ ସରକାରଙ୍କର ନାହିଁ । ପ୍ରଥମେ ରାଜ୍ୟର ୩୫ ପ୍ରତିଶତ ଏବଂ ଗତ ସାଧାରଣ ନିର୍ବାଚନ ସମୟରେ ରାଜ୍ୟର ଦଶ ଲକ୍ଷ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଯାହାକି କେବଳ ଘୋଷଣାରେ ସୀମିତ ହୋଇ ରହିଯାଇଛି । ମରୁଡି ମୁକାବିଲା ପାଇଁ ରାଜ୍ୟ ସରକାର କିଛି ନକରି ସବୁ କିଛି କରାଯାଇଛି ବୋଲି କହିବା ଏକ ସାମାଜିକ ଅପରାଧ ଏବଂ ଚାଷିକୂଳକୁ ଉପେକ୍ଷା ବୋଲି ଶ୍ରୀ ସାମଲ କଟାକ୍ଷ କରି କହିଛନ୍ତି । ଏହି ଅବସରରେ ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ତଥା ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ଓ ରମାରଂଜନ ବଳିୟାରସିଂହ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button