ନକଲି ନାରାବାଜୀର ଏ ନିର୍ବାଚନ ଧାରାହୀନ

॥ ମାୟାଧର ନାୟକ ॥ ସଂପ୍ରତି ନିର୍ବଚାନ ଭୟଙ୍କର ଯୁଦ୍ଧ ଆଡକୁ ଗତି କରୁଛି । ଏ ନିର୍ବାଚନ-ଧର୍ମଯୁଦ୍ଧ ନୁହେଁ – ଜଘନ୍ୟ କ୍ଷମତା ଯୁଦ୍ଧ । ସଂକଟର ସନ୍ଧିକ୍ଷଣରେ ଆଜି ଭୂଆଁବୁଲୁଛି ସମଗ୍ର ଭାରତବର୍ଷ । ଗଣତନ୍ତ୍ର ଆଜି ରକ୍ତାକ୍ତ । ସାଂପ୍ରଦାୟିକ ଦଙ୍ଗା, ଦୁର୍ନୀତି ପରେ ଦୁର୍ନୀତି, ଶୋଷଣ, କଷଣ, ଅନ୍ୟାୟ ଅତ୍ୟାଚାର ଧର୍ଷଣ ଗଣହତ୍ୟା ଓ ବିକୃତିର ବର୍ବରତାରେ ଅତିଷ୍ଠ ଦେଶବାସୀଙ୍କ ଦୃଷ୍ଟିକୁ ଅନ୍ୟଆଡକୁ ନେଇଯିବା ପାଇଁ ଉନ୍ମାଦନା, ଉତ୍ତେଜନା ସୃଷ୍ଟିକରିବା ସଂଗେ ସଂଗେ ଜନଗଣଙ୍କ ଅଧିକାରକୁ ପଣ୍ୟକରିବା ପାଇଁ କଦର୍ଯ୍ୟ କୁତ୍ସିତ ଚରିତ୍ର ସଂହାର ବାକ୍‌ଚାତୁରୀ ଉଦଣ୍ଡ ନାଚ ଗଣମାଧ୍ୟମରେ ନକଲି ଚେହେରା ପ୍ରଦର୍ଶନ ଓ ମିଥ୍ୟା ପ୍ରଚାର କରି କୋଟି କୋଟି ଜନଗଣଙ୍କ ମଧ୍ୟରେ ବିଭ୍ରାନ୍ତି ବିଦ୍ୱେଷ ସୃଷ୍ଟି କରାଯାଉଛି ।

୨୪ ନିର୍ବାଚନ ଧର୍ମଯୁଦ୍ଧ ନୁହେଁ – ଜଘନ୍ୟ କ୍ଷମତା ଯୁଦ୍ଧ । ୨୩-୨୪ ରାଜ୍ୟ ଓ କେନ୍ଦ୍ର ନିର୍ବାଚନରେ ପ୍ରତି ବିଧାନସଭା ଓ ଲୋକସଭା କେନ୍ଦ୍ରରୁ ଏକାଧିକ ଏପରିକି ପନ୍ଦରକୋଡିଏ ଜଣ ପ୍ରାର୍ଥୀ ଲଢିପାରନ୍ତି । ଏମାନଙ୍କ ଭିତରେ ଏନ୍‍.ଡି.ଏ.ର ୩୮ଦଳ, ଇଣ୍ଡିଆର ୨୬ଦଳ ଲଢିବେ । ଏନ୍‍.ଡି.ଏ. ପକ୍ଷରୁ ଅବଶ୍ୟ ପ୍ରତିକ୍ଷେତ୍ରରେ ଜଣେ ଜଣେ ପ୍ରାର୍ଥୀ ଲଢିବେ । ଯଦି ଇଣ୍ଡିଆ ପକ୍ଷରୁ ଜଣେ ଜଣେ ପ୍ରାର୍ଥୀ ଲଢନ୍ତି ଏବଂ ସର୍ବସମ୍ମତିକ୍ରମେ ଜଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତି – ତା’ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଶଗଡ ବେଗୁଳା ହୋଇଯାଇପାରେ !

ଆସନ୍ତୁ – ଏଥର କଥାକୁ ଟିକେ ମାଜିବା । ଚତୁର ରାଜନେତାମାନେ କଥାରେ ଭାଷଣରେ ଲୋକଙ୍କୁ ପୋତିପକାନ୍ତି । ଏଇ ଯେମିତି ୨୦୨୩ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦି ୪୮ଥର ‘ପରିବାରବାଦ’ ଶଦ୍ଦ କହିଥିଲେ । ୨୦୧୪ ନିର୍ବାଚନରେ ‘ପରିବାରବାଦ’ ‘ଭ୍ରଷ୍ଟାଚାର’ ଏବଂ ‘ସଂଖ୍ୟାଲଘୁ ତୋଷଣ’ କହିଥିଲେ । ଶାସନକ୍ଷମତା ଦଖଲ କଲେ । ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସର ପ୍ରଧାନମନ୍ତ୍ରୀ ମୁଖ ଗାନ୍ଧୀପରିବାରର ୫ମ ପ୍ରଜନ୍ମ ଛଡା ଆଉ କୌଣସି ଗୁରୁତ୍ୱ ନାହିଁବୋଲି ମୋଦି କହିବୁଲିଲେ ।

ବିଜେପି ୨୪ ନିର୍ବଚାନରେ ୧୪ ଓ ୧୯ ନିର୍ବାଚନ ଭଳି ନାନାକଥା କହି ପୁଣି ଜିତିବାକୁ ଆପ୍ରାଣ ଉଦ୍ୟମ ଚଳାଇଛି । ଏଇ ୯ବର୍ଷ ମଧ୍ୟରେ କେତେ ନଦୀରେ କେତେ ଜଳ ବୋହିଗଲାଣି – କେତେ ଯେ ମୌସୁମୀବାୟୂ ପ୍ରବାହିତ ହୋଇଗଲାଣି । ମଣିପୁର ଭଳି ବିଶ୍ୱଲଜ୍ୟା ଘଟିଗଲାଣି । କୁସ୍ତିଗିରୀ ଝିଅଙ୍କ କଥାରେ ବିଶ୍ୱର ଘୃଣାଭାବ ସୃଷ୍ଟିହୋଇଛି । ଦୁର୍ନୀତି ଚରମ ସୀମାରେ । ରୋଗ-ଭୋକକୁ ସମ୍ଭାଳି ପାରୁନାହାଁନ୍ତି । ମନୁଷ୍ୟକୃତ, ପ୍ରାକୃତିକ ବିପର୍ଯ୍ୟୟରେ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟିହେଲାଣି । ବେକାରୀର ଜ୍ୱାଳା ସହି ହେଉନି । ଦରଦାମ ଆକାଶଛୁଆଁ । ଭୋଟରଙ୍କୁ କେବଳ ଧର୍ମ ଧର୍ମ କହି ଏସବୁ ଜ୍ୱଳନ୍ତ ସମସ୍ୟାକୁ ସମାଧାନ କରାଯାଇପାରେନା ।

ଏଇ ୨୪ ନିର୍ବାଚନ ପୂର୍ବରୁ କଂଗ୍ରେସନେତା ରାହୁଲ ଗାନ୍ଧୀ ‘ଭାରତଯୋଡ’ ପଦଯାତ୍ରା କରି ରକ୍ତତାଣ୍ଡବ ମଣିପୁରକୁ ଗଲେ । ସେଠାରେ ସବୁସ୍ତରର ପିଡିତଙ୍କୁ ଭେଟିଲେ । କିନ୍ତୁ ମୋଦି ଏପର୍ଯ୍ୟନ୍ତ ମଣିପୁର ଗଲେନି । ବିଜେପି ସବୁବେଳେ କହୁଛି – ତାଙ୍କ ଦଳରେ ପରିବାରବାଦ ନାହିଁ । ଏହା ସତ୍ୟ ବିଜେପି ମେଣ୍ଟରେ ୪୦ଜଣ ପାଖାପାଖି ଲୋକସଭା ଓ ରାଜ୍ୟସଭାର ପରିବାର ଭିତରୁ । ପଞ୍ଚାବର ଅକାଳୀଦଳ, ହରିଆନାର ସୁଶାନ୍ତ ଚୌତାଲା, ବିହାରର ଚିରାଗ ପାଶ୍‍୍‍ୱାନ୍‍, ମହାରାଷ୍ଟ୍ରର ଅଜିତ୍‍ ପାୱାର, କର୍ଣ୍ଣାଟକ ନିର୍ବାଚନବେଳେ ୧୦ଟି ସିଟ୍‍ ପରିବାର ଲୋକଙ୍କ ପାଇଁ ଥିଲା । ଏ କ’ଣ ପରିବାରବାଦ ନୁହେଁ । ଦୁର୍ନୀତି ବିରୋଧରେ ବହୁ ତୁମ୍ଭିତୋଫାନ କରୁଥିଲେ । ଏବେ ବିଜେପି ଦଳୀୟ ପାଣ୍ଠିକୁ ସବୁଠୁ ବେଶୀ ଚାନ୍ଦା ଜଣାରେ ଅଜଣାବ୍ୟକ୍ତିଙ୍କ ଠାରୁ ଆସିଛି । ଏତେଟଙ୍କା କେଉଁମାନେ ଦେଉଛନ୍ତି – ତାହା କ’ଣ ଦେଶବାସୀ ଜାଣନ୍ତି କି ? ଏପଟେ ଡେରିରେ ହେଲେବି ବିରୋଧୀଦଳ ଏକଜୁଟ୍‍ ହେଲେଣି । ନିଜେ ରାହୁଲଗାନ୍ଧୀ କହିଲେଣି – “ପ୍ରଧାନମନ୍ତ୍ରୀ ମୁହଁ ଭାବେ ମଲ୍ଲିକାର୍ଜୁନ ଖଡ୍‍ଗେ, ନୀତିଶ କୁମାର, ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲଙ୍କ ମଧ୍ୟରୁ ଜଣକୁ ବଛାଯାଇପାରେ।” ଏହା ଯଦି ସମ୍ଭବ ହୁଏ, ତା’ହେଲେ ଆଉ ପରିବାରବାଦ ରହିବନାହିଁ । ମୋଦି ବିଚରା ଆଉ କ’ଣ କହି ଗର୍ଜ୍ଜନତର୍ଜନ କରିବେ ?


୨୦୧୭ ମସିହାରେ ‘ବିମୁଦ୍ରାୟନ’ ସମୟରେ ମୋଦି ମହାଶୟ ଦେଶବାସୀଙ୍କୁ କହିଲେ – ଏହାଦ୍ୱାରା ବିଦେଶରୁ କଳାଟଙ୍କା ଆସିବ – ପ୍ରତ୍ୟେକ ଭାରତୀୟଙ୍କ ଜମାଖାତାରେ ୧୫ଲକ୍ଷ ଟଙ୍କା ଜମା ଦିଆଯିବ। ଦୁଇକୋଟି ଚାକିରୀ ପ୍ରତିବର୍ଷ ଦିଆଯିବ । ଲୋକେ ଫୁଲିଉଠିଲେ – ଯାହାହେଉରେ ଆମ ପ୍ରଧାନମନ୍ତ୍ରୀ ୧୫ଲକ୍ଷ ଟଙ୍କା ମାହାଳିଆ ଦେବେ । ପୁଣି ଚାକିରୀ । ଆମ ଭାରତବାସୀ ମାହାଳିଆଖିଆ । ଖୁସି ହୋଇଗଲେ । ପାଞ୍ଚଶହ, ହଜାରେ, ପାଞ୍ଚହଜାର ଟଙ୍କିଆ ପୁରୁଣା ନୋଟକୁ ବାତିଲକରି ନୂଆ ପାଞ୍ଚଶହ, ଦି’ହଜାରିଆ ନୋଟ୍‍ ଛପାଇ ପ୍ରଚଳନ କଲେ । ଏବେ ଅବଶ୍ୟ ସେ ଦି’ହଜାରିଆ ଟଙ୍କା ନୋଟ୍‍ ବଜାରରୁ ଉଭାନ୍‍ । ସାତବର୍ଷ ହେଲା ଚାହିଁଚାହିଁ ଆଖିରୁ ପାଣି ଶୁଖିଲାଣି – ଏପର୍ଯ୍ୟନ୍ତ ଜମାଖାତାକୁ ସାତଟଙ୍କା ଆସିଲାନାହିଁ । ଚାକିରୀ କଥା ନକହିଲେ ଭଲ । ପୁଣି ୨୦୧୯ ନିର୍ବାଚନ ପୂର୍ବରୁ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‍ କରି ଦେଶବାସୀଙ୍କୁ ଦେଶପ୍ରେମରେ ଡୁବେଇଦେଲେ । ଭୋଟ୍‍ ମଧ୍ୟ ହାତେଇନେଲେ । କଥାରେ ଅଛି – ବାରେବାରେ ଦି’ବାର, ତିନିବାରକୁ ଧରମଛାଡ ! ଏଥର କ’ଣ କହିବେ – ୨୪ ମହାଭାରତରେ କେମିତି ଜିତିବେ । ଏବେ ଏବେ ଚନ୍ଦ୍ରାୟନ-୩ର ସଫଳତାକୁ ବଖାଣୁଛନ୍ତି । ଏଥିରେ ମୋଦିଙ୍କର କିଛି ବାହାଦୂରି ନାହିଁ । ସବୁ ଶ୍ରେୟ ବୈଜ୍ଞାନିକମାନଙ୍କର । ବୈଜ୍ଞାନିକମାନଙ୍କୁ ମୋଦି ବଟକରା କରିଦେଲେ । ‘ଇସ୍ରୋ’ ମୋଦି ଅମଳରେ ହୋଇନି । ବହୁପୂର୍ବରୁ ହୋଇଛି ।

ଏବେ ରାଜନୀତି ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇସାରଛି । ଏହି ନିର୍ବାଚନରେ ଦେଶବାସୀଙ୍କ ପାଇଁ କୌଣସି ଦଳର ବାସ୍ତବ ଆଭିମୁଖ୍ୟ ନାହିଁ । ଦଳମାନଙ୍କର ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦିଆଯାଇଛି-ସେ ସବୁ କେବଳ ପାଣିର ଗାର । ବିଭିନ୍ନ ସାଇନ୍‍ବୋର୍ଡ ଝୁଲାଇ ରାଜନୀତିର ଗୋଟାଏ ବିରାଟ ବଜାର ବିଛାଇ ବସିଛନ୍ତି କ୍ଷମତାଦଲାଲ୍‍ମାନେ-ସମଗ୍ର ଭାରତବର୍ଷରେ ଚାଲିଛି କିଣାବିକାର ରାଜନୀତି, ଦୋକାନଦାରିର ରାଜନୀତି, ଚାନ୍ଦାଭେଦାର ରାଜନୀତି, ଗୋଲକଧନ୍ଦାର ରାଜନୀତି । ଆଜି ଯିଏ ଶାସକ ଦଳରେ, କାଲି ତାକୁ ଦେଖିବାକୁ ମିଳୁଛି ବିରୋଧୀ ଦଳର ବାନା ହଲାଇବାରେ – ଆଜି ଯିଏ ବିରୋଧୀ ଶିବିରରେ ଥାଇ ବନ୍ଧମୁଷ୍ଟି ଉତ୍ତୋଳନ କରୁଛି, କାଲି ସିଏ ହାତ ମିଳାଉଚି ଶାସକ ଦଳର କାର୍ପଟ୍‍ଦାରମାନଙ୍କ ସହିତ । ଯେହେତୁ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶ ନାହିଁ, ନିର୍ଦ୍ଧାରିତ ଦର୍ଶନ ବା ଦୃଷ୍ଟିଭଙ୍ଗନାହିଁ – ସେଇଥିପାଇଁ ଭାରତବର୍ଷର ଗଣତନ୍ତ୍ରରେ ବାରମ୍ବାର ପ୍ରତ୍ୟକ୍ଷ କରିବାକୁ ପଡୁଛି ଏ ପ୍ରହସନର ପାଂଶୁଳ ପର୍ବ ! ଦଳବଦଳର ଦାରୁଣ ଦୃଷ୍ଟାନ୍ତ ସବୁ ଭାରତୀୟ ରାଜନୀତିରେ ଅତି ମାମୁଲି ଘଟଣା । କାହାକୁ ବିଶ୍ୱାସ କରିବା ? କାହା କଥାକୁ ବେଦର ଗାର ଭଳି ଗ୍ରହଣ କରିନେବା ? ନା, ଆଜିର ଭାରତୀୟ ରାଜନୀତିର ମୂଳଦୁଆ ଛିଡା ହୋଇଛି ଗୋଟାଏ ବିଶାଳ ବିଶ୍ୱାସଭଙ୍ଗ ଉପରେ ! ରାଜନେତାମାନେ ବିଶ୍ୱାସଘାତକତା କରୁଛନ୍ତି ଜନଗଣଙ୍କ ପ୍ରତି, ରାଜନୈତିକ ଦଳମାନେ ଆଖିଠାର ମାରୁଛନ୍ତି ତମାମ୍‍ ଦେଶକୁ । ଯିଏ ଯେତେ ବେଶି ଦୁର୍ନୀତି କରି ଧନ ଠୁଳ କଲା, ସିଏ ବୋଲାଇଲା ସେତେବଡ ଛାମୁନେତା – ଯିଏ ଯେତେ ବେଶି ଗୁଣ୍ଡା ପୋଷି ପାରିଲା, ସିଏ ହେଲା ସେତେବଡ କରିତ୍‍କର୍ମା କାର୍ପଟ୍‍ଦାର !

କ୍ଷମତାପାଗଳ ତଥାକଥିତ ନେତାମାନଙ୍କ ପାଇଁ ଏ ନିର୍ବାଚନ ଏକ ଜଘନ୍ୟ ଜୁଆଖେଳ, ମାତ୍ର ନିରୀହ, ନିରନ୍ନ ଜନସାଧାରଣଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ କାଳ । ଏ ନିର୍ବାଚନରେ କାହାର ମନରେ ସରାଗ ନାହିଁ-ନେତାମାନେ ଲୋକମାନଙ୍କୁ ଜୋର୍ କରି କେବଳ ଟାଣୁଛନ୍ତି ବଳିଖୁଣ୍ଟକୁ । ଭୋଟ୍‌ପାଲା ସରିଯିବା ପରେ ଦଳ ଓ ନେତାମାନେ ମୋଲାଏମ୍ ମଲ୍ଲୀଫୁଲିଆ ଗଦି ଉପରେ ଶୋଇଯିବେ । କାହାର ଦେଖା ମିଳିବ ନାହିଁ ଆଉ । ଆଜି ଯେଉଁମାନେ ଆସି ଆମ ପାଦ ଧରୁଛନ୍ତି, ହାତ ଓଠ ଧରି ନେହୁରା ହେଉଛନ୍ତି, ଭୋଟ୍ ପରେ ସେମାନେ ଆମକୁ ଚିହ୍ନି ପାରିବେ ତ ? ଏବେ ଗାଁ ଗାଁରେ ଗରଳ – ସହର ସାରା ଅନଳ – ରାଜନୀତିଆଙ୍କ ଆଖିରେ ପରଳ । ବାରବାଟୀ ଚଷେ ଗାଲୁଆ – ବାଇଆରେ ହେବ ହାଲୁଆ – ବରଷ ବରଷ କଥାନୁହେଁ ଶେଷ । ଲୋକେ ଶୁଣି ଶୁଣି ହେଲେଣି ହାଲିଆ । ଏବେ ମର୍ମକୁ ବିନ୍ଧିଲାଣି – ଭାଙ୍ଗିବ ଦରବାର ।

ବର୍ତ୍ତମାନର ପରିପ୍ରେକ୍ଷୀରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାର ଗୋଟି ଚଳାଇବାକୁ ଛାଡିଦେଇ ଦେଶବାସୀ ଚୁପ୍‌ଚାପ୍ ବସିରହିବା ଆଦୌ ନିରାପଦ ନୁହେଁ । ପ୍ରତ୍ୟେକ ରାଜନୈତିକ ଦଳରୁ ପରିଚ୍ଛନ୍ନ ଭାବମୂର୍ତ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱମାନଙ୍କୁ ଚିହ୍ନଟ କରାଯାଇ ଦେଶ ଓ ଜନଗଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦୃଷ୍ଟିରୁ ଯଦି ଏକ ସଂକଳ୍ପବଦ୍ଧ ସମ୍ମିଳିତ ରାଜନୈତିକ ମହାଶକ୍ତି ଠିଆ ହୋଇ ପାରନ୍ତା ତା’ହେଲେ ଭାରତବର୍ଷ ପାଇଁ ପ୍ରସ୍ତୁତ ହୋଇପାରନ୍ତା ପ୍ରକୃତ ମୁକ୍ତିମାର୍ଗ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave a Reply

Your email address will not be published. Required fields are marked *

Back to top button