ମୟୁରଭଞ୍ଜ : ବନ୍ୟାଞ୍ଚଳ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ

ମୋରଡା : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳକା ନଦୀର ବନ୍ୟାରେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ୪୯ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ଏବେ ମୋରଡ଼ା ବ୍ଲକ ଅଞ୍ଚଳରେ ସ୍ଥିତି ସୁଧୁରୁଥିବା ବେଳେ ରାସଗୋବିନ୍ଦପୁର ବ୍ଲକର ୨୦ରୁ ଉର୍ଦ୍ଧ୍ଵ ଗାଁ ପାଣି ଘେରରେ ରହିଛି। ବଢିଛି ଲୋକଙ୍କ ଦୁର୍ଦ୍ଦଶା। ଶତାଧିକ କଚ୍ଚା ଘର ଭାଙ୍ଗିବା ସହିତ ଏକର ଏକର ଚାଷ ଜମିର ଫସଲ ନଷ୍ଟ ହୋଇଛି।

ଖବର ଅନୁଯାୟୀ ରାସଗୋବିନ୍ଦପୁର ବ୍ଲକର ଭେଡିସାହି, ପଦ୍ମତୋଳିଆ, ମୁରୁଡ଼ା, ହାଣ୍ଡିଧୁଆ, ପାଞ୍ଚମାଣିଆ, ଡୁହିଲପୁରା, ପିଙ୍ଗୁଡି, ଭୋଗବାଟି, ଏକତାଲି, ସାତଶଗଡ଼ିଆ ଆଦି ୨୦ରୁ ଅଧିକ ଗାଁ ଏବେ ପାଣି ଘେରରେ ରହିଛି। ଜମ୍ଭୀରା ନଦୀ କୂଳରେ ଥିବା ଗ୍ରାମ ଗୁଡ଼ିକରୁ ଓଡ୍ରାଫ ଟିମ୍ ଗ୍ରାମବାସୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଜଳବନ୍ଦୀ ମୋରଡା ଓ ହାଣ୍ଡିଧୂଆ ଗ୍ରାମରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

ଏହିଭଳି ବିପତ୍ତି ସମୟରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ମୋରଡ଼ା ଆସି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ସେ ପ୍ରଥମେ ମୋରଡ଼ାରୁ ପଳାଶମୁଣ୍ଡଳୀ ପଞ୍ଚାୟତ ଯାଇ ମାଟି କାନ୍ଥରେ ଚାପିହୋଇ ମୃତ୍ୟୁବରଣ କରିଥିବା କାଞ୍ଚନିଙ୍କ ପରିବାରକୁ ସମବେଦନା ଜଣାଇବା ସହ ୫୦ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ପରେ ମୋରଡ଼ା ପଞ୍ଚାୟତ ଅନ୍ତର୍ଗତ ପାଞ୍ଚଗଛିଆ ଲୋକଙ୍କ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ନୂତନ ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କା ବନ୍ଧର ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ରାସଗୋବିନ୍ଦପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ, କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ସମେତ ବିଭିନ୍ନ ଦଳୀୟ କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *

Back to top button