୨୦୪୭ ବେଳକୁ ଭାରତ ବିକଶିତ ରାଷ୍ଟ୍ରରେ ପରିଗଣିତ ହେବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୨୦୪୭ ମସିହା ବେଳକୁ ଭାରତ ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହେବ। ସେତବଳକୁ ଦୁର୍ନୀତି, ଜାତିବାଦ ଓ ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ରହିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଖବର ଅନୁଯାୟୀ ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ଭାରତକୁ ଦୀର୍ଘଦିନ ଧରି ଗରିବ ରାଷ୍ଟ୍ରରେ ପରିଗଣିତ କରାଯାଉଥିବା ବେଳେ କୋଟି କୋଟି ଲୋକ ଖାଲି ପେଟରେ ରୁହନ୍ତି ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ ସମୟ ବଦଳିଯାଇଛି। ଏବେ ଭାରତକୁ ଉଚ୍ଚାଭିଳାଷୀ ଓ କୁଶଳୀ ଲୋକଙ୍କ ଦେଶ କୁହାଯାଉଛି। ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ରହିବ।

ସେ କହିଛନ୍ତି ଭାରତ ପାଖରେ ବର୍ତ୍ତମାନ ପ୍ରଗତିର ମୂଳଦୁଆ ପକାଇବାର ସୁଯୋଗ ରହିଛି। ଏହି ମୂଳଦୁଆ ହିଁ ଆଗାମୀ ହଜାରେ ବର୍ଷ ପର୍ଯ୍ୟନ୍ତ ମନେ ରହିବ। ସେହିପରି ବୃଦ୍ଧି ପାଉଥିବା ସାଇବର ଅପରାଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ସାଇବର ଅପରାଧ ବିରୋଧରେ ଲଢ଼େଇ କରିବା ପାଇଁ କେବଳ ବିଶ୍ୱସ୍ତରୀୟ ସହଯୋଗ ଆବଶ୍ୟକ ନୁହେଁ ବରଂ ଏହା ଜରୁରୀ। ସାଇବର ସେକ୍ଟରରେ ବେଆଇନ ଆର୍ଥିକ କାରବାର ଓ ଆତଙ୍କବାଦ ବିରୋଧରେ ଦେଶରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।

ନୂଆଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀ ସମ୍ପର୍କରେ ସେ କହିଲେ ବିଶ୍ୱ ଏବେ ମାର୍ଗଦର୍ଶନ ପାଇଁ ଭାରତକୁ ଦେଖୁଛି। ଆମର କଥା ଓ ଦୃଷ୍ଟିଭଙ୍ଗୀ କେବଳ ଧାରଣା ନୁହେଁ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ୍ ଭାବରେ ଦେଖାଯାଉଛି। ବିଶ୍ୱର ଜିଡିପି କେନ୍ଦ୍ରିକ ଦୃଷ୍ଟିକୋଣ ମାନବ-କେନ୍ଦ୍ରିକ ଦୃଷ୍ଟିକୋଣରେ ବଦଳୁଥିବାରୁ ଏହି ପରିବର୍ତ୍ତନରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

Leave a Reply

Your email address will not be published. Required fields are marked *

Back to top button