ଓଡ଼ିଶାରେ ବାତ୍ୟା ‘ଗୁଲାବ’ ସେତେ କ୍ଷୟକ୍ଷତି କରିନି : ଏସ୍‌ଆରସି

ଭୁବନେଶ୍ୱର : ସାମୁଦ୍ରିକ ‘ବାତ୍ୟା ‘ଗୁଲାବ’ର ପ୍ରଭାବ ରାଜ୍ୟରେ ସେଭଳି ପଡ଼ିନାହିଁ। ଆଜି ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା। ସେ କହିଛନ୍ତି ଦୁଇରୁ ତିନି ଘଣ୍ଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ୪ଘଣ୍ଟା ମଧ୍ୟରେ ଓଡ଼ିଶା ଉପରେ ଏହାର ପ୍ରଭାବ କମିବ।

ସୋମବାର ଗଣମାଧ୍ୟମକୁ ଶ୍ରୀ ଜେନା କହିଛନ୍ତି ବାତ୍ୟା ପ୍ରଭାବରେ କନ୍ଧମାଳ, ଗଜପତି, ରାୟଗଡ଼ା ଓ କୋରପୁଟ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା। ତେବେ ଏସବୁ ଜିଲ୍ଲାରେ ଅଳ୍ପ ବର୍ଷା ଓ କମ୍‌ ପବନ ହୋଇଛି। ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ୮୩ ମିମି, ମୋହନାରେ ୭୦, ଆର. ଉଦୟ ଗିରିରେ ୬୯, ଗୁମ୍ମାରେ ୬୮, ରାୟଗଡ଼ାରେ ୬୬ ଓ ପାରଳାଖେମୁଣ୍ଡିରେ ୬୦ ମିମି ବର୍ଷା ହୋଇଛି। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ସବୁଠୁ ଅଧିକ ୧୪୫ ମିମି ବର୍ଷା ରେକର୍ଡ ହୋଇଛି। ବର୍ଷା ଓ ପବନ ଯୋଗୁ ସେଭଳି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ। କିଛି ପାହାଡ଼ି ଝରଣାରୁ ପାଣି ଆସି ରାସ୍ତାରେ ଜମିଥିଲା। ତାହା କମି ଯାଇଛି। ମାଲକାନଗିରି ଜିଲ୍ଲାରେ କିଛି ସ୍ଥାନରେ ରାସ୍ତା ଉପରେ ପଡିଥିବା ଗଛ କଟାଯାଇ ସଫା କରି ଦିଆଯାଇଛି। ବିଜୟନଗରମରୁ କୋରାପୁଟ ରାସ୍ତାର ସୁଙ୍କି ଘାଟିରେ ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ହୋଇଯାଇଛି। ଏବେ ବର୍ଷା ହେଉଛି। ବର୍ଷା ଛାଡ଼ିବା ପରେ ରାସ୍ତା ସଫା ହୋଇଯିବ।

ବାତ୍ୟା ପ୍ରଭାବରେ କିଛି ଅଘଟଣ ଘଟିନାହିଁ କିମ୍ବା ବଡ଼ ସମସ୍ୟା ହୋଇଥିବା ଖବର ଆମ ପାଖକୁ ଆସିନାହିଁ। ବାତ୍ୟା ପୂର୍ବରୁ ୪୬ ହଜାର ୭୫ ଜଣ ଲୋକଙ୍କୁ ୧୧୮୯ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ୫୩୩ ଜଣ ଗର୍ଭବତୀଙ୍କୁ ଆଶ୍ରୟସ୍ଥଳ, ପିଏଚ୍‌ସି ଓ ସିଏଚ୍‌ସିକୁ ନିଆଯାଇଥିଲା। ବାତ୍ୟା ‘ଗୁଲାବ’ ପ୍ରଭାବରେ କ’ଣ କ୍ଷୟକ୍ଷତି ହୋଇଛି ତାର ରିପୋର୍ଟ ୫ ଦିନ ମଧ୍ୟରେ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ଏସ୍‌ଆରସି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button