ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରେଳ ନିଗମ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସେଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ୩୨୬.୫୬ କୋଟି ଟଙ୍କାର ଫି’ ପ୍ରଦାନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହାଛଡା ଅନ୍ୟ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସଚିବ ପ୍ରଦୀପ କୁମାର ଜେନା। ସେ କହିଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଭୁବନେଶ୍ୱର ବିମାନ ବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ କରାଯିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଟର୍ଣ୍ଣ କି କନ୍ସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ମୋଟ ୫୯୨୯.୩୮କୋଟି ଟଙ୍କା ବ୍ୟୟ ହେବ। ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬କିମି ଦ୍ୱରତ୍ୱ ମଧ୍ୟରେ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ ଓ ଅତ୍ୟାଧୁନିକ ରେଳ କୋଚ୍ ବ୍ୟବହାର କରାଯିବ। ଅତ୍ୟାଧୁନିକ ଟିକେଟ୍ ବ୍ୟବସ୍ଥା ଓ ସିଗନାଲ ବ୍ୟବହାର ହେବ। ଇଲିଭେଟେଡ୍ ଭାୟଡକ୍ଟ ଉପରେ ସମସ୍ତ ମେଟ୍ରୋ ଧାରଣା ଓ ଷ୍ଟେସନ ରହିବ।

ସେହିପରି କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ବ୍ରହ୍ମପୁର ରିଂ-ରୋଡ୍ ନିର୍ମାଣ କାର୍ଯ୍ୟକୁ ଇପିସି କଣ୍ଟ୍ରାକ୍ଟ ମାଧ୍ୟମରେ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ବିକାଶ ସହିତ ବ୍ରହ୍ମପୁର ସହରର ଯାତାୟତ ସୁଗମ ହେବ। ରିଂ-ରୋଡ୍ ନିର୍ମାଣ କାର୍ଯ୍ୟର ଟେଣ୍ଡର ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ ଓ ଆରକେ ଇନଫ୍ରାକପ୍ ପ୍ରାଃ ଲିମିଟେଡ୍ ମିଳିତ ଭାବେ ନେଇଛନ୍ତି। ଏହି ୨୪ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି।

ଏହାଛଡା ସିଡ୍ୟୁଲ ଏରିଆରେ ରେଗୁଲେସନ-୨, ୧୯୫୬ ଆଇନରେ ପ୍ରଚଳିତ ପ୍ରାବଧାନରେ କେତେକ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦର ସୁପାରିଶକୁ ଭିତ୍ତିକରି ରାଜ୍ୟ ସରକାରଙ୍କ ଅନୁମୋଦନରେ ଏହି ଆଇନରେ କେତେକ ସଂଶୋଧନ କରାଯାଇଛି। ଏଣିକି ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଉପଜିଳ୍ଲାପାଳଙ୍କଠାରୁ ଲିଖିତ ଅନୁମତି ନେଇ ସର୍ବସାଧାରଣ ଉଦ୍ଦେଶ୍ୟରେ ଜମିକୁ ବ୍ୟବହାର କରିପାରିବେ। ଅଥବା କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଫାଇନାନ୍ସ ସଂସ୍ଥାରେ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ। ଅନ୍ୟ ଜଣେ ଅଣଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ। ତେବେ ବ୍ୟକ୍ତି ଜଣକ ଯେପରି ଭୂମିହୀନ ବା ଗୃହଶୂନ୍ୟ ନହୁଏ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ। ଯଦି ଉପଜିଲ୍ଲାପାଳ ଅନୁମତି ନଦିଅନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତି ୬ମାସ ମଧ୍ୟରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ। ଜିଲ୍ଲାପାଳଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ଅନ୍ୟ ନିଷ୍ପତ୍ତି ହେଲା ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଗୋଠପାଟଣା ମୌଜାରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ ସୋସାଇଟି ସପକ୍ଷରେ ଆଉ ଏକ ନୂଆ ଲୋୟୋଲା ସ୍କୁଲ ପ୍ରତିଷ୍ଠା ହେବ। ଏଥିପାଇଁ ୯.୪୦୦ଏକର ସରକାରୀ ଜମି ବିନା ପ୍ରିମିୟମରେ ଲିଜ୍ ସୂତ୍ରରେ ଯୋଗାଇବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ତେବେ ସୋସାଇଟିକୁ ଜମି ବଜାର ମୂଲ୍ୟର ୧୦ ପ୍ରତିଶତ ହିସାବରେ ଏକକାଳୀନ ଇନ୍ସିଡେଣ୍ଟାଲ ଚାର୍ଜ, ୦.୨୫ ପ୍ରତିଶତ ହାରାରେ ବାର୍ଷିକ ଭୂ-ରାଜସ୍ୱ ଓ ଭୂରାଜସ୍ୱର ୭୫ ପ୍ରତିଶତ ହିସାବରେ ସେସ୍ ଦେବାକୁ ପଡ଼ିବ।

ସେହିପରି ଗଞ୍ଜାମ ଜିଲ୍ଲାର ଧରାକୋଟ୍ ବ୍ଲକର ଜାନିଭାଲି ଗାଁ ନିକଟରେ ଋଷିକୁଲ୍ୟା ନଦୀ ଉପରେ ଜାନିଭିଲି ନାମକ ଏକ ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବ ଓ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୮୬.୫୪କୋଟି ଟଙ୍କା (ଜିଏସଟି ବ୍ୟତୀତ) ଖର୍ଚ୍ଚ ହେବ। ଏହାଛଡା ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ନିମନ୍ତେ ଅତିରିକ୍ତ ଏକ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ କାର୍ଯ୍ୟ ୨୪ମାସ ମଧ୍ୟରେ ଶେଷ ହେବ। ଏହାଦ୍ୱାରା ଗଞ୍ଜାମ ଜିଲ୍ଲାର ୫୨୬୭୫ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିବ। ଏହାବ୍ୟତୀତ ବ୍ରହ୍ମପୁର ମହାନଗର ନିଗମ ପାଇଁ ଦୈନିକ ୬୭.୫ ମିଲିୟନ ଲିଟର ପାନୀୟ ଜଳ ଉପଲବ୍ଧ କରାଯାଇପାରିବ। ଏହି ପ୍ରକଳ୍ପ ୩୨ ହେକ୍ଟର ଅଂଚଳରେ ମାଛ ଚାଷ ସୁବିଧା ସହ ଭୂତଳ ଜଳର ପୁନଃଭରଣ ଓ ପରିବେଶ ସନ୍ତୁଳନ ରକ୍ଷା କରିହେବ।

ଜଳଜୀବନ ମିଶନ ଯୋଜନାରେ ବଲାଙ୍ଗିର ଜିଲ୍ଲାର ୨ଟି ମେଗା ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ୩୦୭.୮୭କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପ କାର୍ଯ୍ୟ ହାଇଦ୍ରାବାଦର କେୟା ଆଣ୍ଡ କମ୍ପାନୀ କନଷ୍ଟ୍ରକ୍ସନ କରିବ। ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସଇଁତଳା ବ୍ଲକର ୨୦ଟି ପଂଚାୟତର ୧୧୬ଟି ଗାଁର ପ୍ରାୟ ୯୪୫୫୪ଜଣ ଲୋକ ଉପକୃତ ହେବେ। ପ୍ରକଳ୍ପ ୨୪ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଫାଇଭ-ଟି ଅଧୀନରେ ‘ଆମ ହସ୍ପିଟାଲ’ ଯୋଜନାକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ଏହି ଯେଜାନାରେ ରାଜ୍ୟର ସମସ୍ତ ୧୮୫୮ଟି ସରକାରୀ ଡାକ୍ତରଖାନାକୁ ପର୍ଯ୍ୟାୟକ୍ରମେ ୫ବର୍ଷ ମଧ୍ୟରେ ରୂପାନ୍ତର କରାଯିବ। ୨୦୨୩-୨୪ରୁ ୨୦୨୭-୨୮ ମସିହା ମଧ୍ୟରେ ଏହି ଯୋଜନା ପାଇଁ ୩୩୮୮.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଥମ ବର୍ଷରେ ୧୪୯ଟି ସରକାରୀ ହସ୍ପିଟାଲର ସୁଦୃଢ଼ୀକରଣ କରାଯିବ। ସରକାରୀ ଡାକ୍ତରଖାନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନପୂର୍ବକ ଚିକିତ୍ସା ସେବା ଓ ରୋଗୀ ଅନୁକୂଳ ପରିବେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରାଇବା ଏହି ଯୋଜନାର ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *

Back to top button