ଲୋକେସନ୍ ଟ୍ରାକିଂ ଓ ସେଫ୍ଟି ଡିଭାଇସ ବିନା ନୂଆ ଗାଡ଼ି ପଞ୍ଜିକରଣ ମନା

ଭୁବନେଶ୍ଵର : ରାଜ୍ୟରେ ସାର୍ବଜନୀନ ପରିବହନ ସେବାରେ ନିୟୋଜିତ ଗାଡ଼ିରେ ଏଣିକି ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ ଜରୁରୀ। ଏହି ଡିଭାଇସ୍ ନଥିଲେ ଆସନ୍ତା ଅକ୍ଟୋବର ପହିଲାରୁ କୌଣସି ନୂଆ ଗାଡ଼ି ପଞ୍ଜିକରଣ କରାଯିବ ନାହିଁ।
ଖବର ଅନୁଯାୟୀ ମଙ୍ଗଳବାର ରାଜ୍ୟ ପରିବହନ କମିଶନର ଏକ ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି। ଏଥିରେ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଲୋକେସନ୍ ଟ୍ରାକିଂ ଡିଭାଇସ୍ (ଭିଏଲଟିଡି) ଓ ପାନିକ୍ ବଟନ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଧାର୍ଯ୍ୟ ସମୟସୀମା ମଧ୍ୟରେ ବସ୍ , ଶିକ୍ଷାନୁଷ୍ଠାନ ବସ୍, ଆମ୍ବୁଲାନ୍ସ, ସବୁପ୍ରକାରର କ୍ୟାବ୍, ଓମିନି ବସ୍, ମୋଟର କ୍ୟାବ୍, ପ୍ରାଇଭେଟ୍ ସର୍ଭିସ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକରେ ଏହି ଭିଏଲଟିଡି ଡିଭାଇସ୍ ଲାଗିବ। କିନ୍ତୁ ଦୁଇଚକିଆ, ତିନିଚକିଆ ଓ ରିକ୍ସାକୁ ବାଦ୍ ଦିଆଯାଇଛି।
ସେହିପରି ଯେଉଁ ଗାଡ଼ିଗୁଡ଼ିକ ଚଳିତମାସ ୩୦ ତାରିଖ ମଧ୍ୟରେ କ୍ରୟ ହୋଇଛି ସେଗୁଡ଼ିକ ୨୦୨୩ ଡିସେମ୍ବର ୩୧ ତାରିଖ ପୂର୍ବରୁ ଏହି ଡିଭାଇସ୍ ଲଗାଇବେ। ଯଦି କୌଣସି ପୁରୁଣା ଗାଡ଼ିରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ଭିଏଲଟିଡି ଡିଭାଇସ୍ ନଲାଗିଥିବ ସମ୍ପୃକ୍ତ ଗାଡ଼ିକୁ ଫିଟନେସ, ମାଲିକାନା ପରିବର୍ତ୍ତନ, ପରମିଟ୍ ଓ ନ୍ୟାସନାଲ ପରମିଟ୍ ସୁବିଧା ଆଦି ମିଳିବନି।
ସୂଚନାଯୋଗ୍ୟ କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁସାରେ ସମସ୍ତ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଏହି ଡିଭାଇସ୍ ଲଗାଇବା ବାଧ୍ୟତାମୂଳକ। ପୂର୍ବରୁ ରାଜ୍ୟ ସରକାର ଏହି ଅବଧିକୁ ବାରମ୍ବାର ବୃଦ୍ଧି କରି ଆସୁଥିଲେ। ଏବେ ଓଡ଼ିଶା ସରକାରଙ୍କ ପରିବହନ ବିଭାଗର ୱେବସାଇଟକୁ ଯାଇ କ୍ଷମତାପ୍ରାପ୍ତ ବିକ୍ରେତାଙ୍କୁ ଚୟନ କରି କିମ୍ବା ନିକଟସ୍ଥ ରେଟ୍ରୋ ଫିଟମେଂଟ ସେଂଟର (ଆରଏଫସି)କୁ ଯାଇ ଡିଭାଇସ୍ ଗାଡ଼ିରେ ଲଗାଇ ପାରିବେ। ନଚେତ ଗାଡ଼ି ମାଲିକମାନେ ଓରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଯେକୌଣସି କମ୍ପାନୀର ଭିଏଲଟିଡି ଡିଭାଇସ୍ ଲଗାଇ ପାରିବେ।