ପଞ୍ଜଶିରକୁ ଦଖଲକୁ ନେଲା ତାଲିବାନ

କାବୁଲ : ଦୀର୍ଘଦିନର ସଂଘର୍ଷ ପରେ ଆଫଗାନସ୍ତାନର ପଞ୍ଜଶିରକୁ ସମ୍ପୂର୍ଣ୍ଣ ରୂପେ ଦଖଲକୁ ନେଇଥିବା ତାଲିବାନ ଦାବି କରିଛି। ଆତଙ୍କବାଦୀ ସଙ୍ଗଠନ କହିଛି ସେମାନେ ପଞ୍ଚଶିରକୁ ନିଜ ନିୟନ୍ତ୍ରଣକୁ ନେଇଥିବା ବେଳେ ରେଜିଷ୍ଟାନ୍ସ ଫୋର୍ସ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି। ଏଥିସହ ତାଲିବାନ ପଞ୍ଜଶିରରୁ କିଛି ଫଟୋ ଜାରି କରିଛି। ଯେଉଁଥିରେ କିଛି ବନ୍ଧୁକଧାରୀ ତାଲିବାନୀ ସେନା ପଞ୍ଜଶିରର ଗଭର୍ଣ୍ଣର ଅଫିସ ବାହାରେ ଠିଆ ହୋଇଛନ୍ତି ଓ ସେଠାରେ ତାଲିବାନ ପତାକା ଉଡୁଥିବା ଦେଖିବାକୁ ମିଳିଛି।

ତାଲିବାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ଆଫଗାନିସ୍ତାନର ପଞ୍ଜଶିର ପ୍ରାନ୍ତକୁ ସମ୍ପୂର୍ଣ୍ଣ ଦଖଲକୁ ନେଇଛନ୍ତି। ପଞ୍ଜଶିରରେ ବହୁସଂଖ୍ୟକ ପ୍ରତିରୋଧକାରୀ ସଦସ୍ୟ ନିହତ ହୋଇଥିବା ବେଳେ ବାକି ପଳାୟନ କରିଛନ୍ତି। ପଣବନ୍ଦୀ ଥିବା ପଞ୍ଜଶିରର ଅତ୍ୟାଚାରିତ ତଥା ସମ୍ମାନୀୟ ବ୍ୟକ୍ତିବିଶେଷଙ୍କୁ ମୁକ୍ତ କରାଯାଇଛି। ଆଲ୍ଲାଙ୍କ ସାହାଯ୍ୟ ଓ ଆମ ଦେଶବାସୀଙ୍କ ବ୍ୟାପକ ସମର୍ଥନ ଦ୍ୱାରା ଆମ ଦେଶ ଓ ପ୍ରଦେଶର ସମ୍ପୂର୍ଣ୍ଣ ନିରାପତ୍ତା ଲାଗି ଆମର ସଦ୍ୟତମ ଉଦ୍ୟମ ସଫଳ ହୋଇଛି ବୋଲି ସେ କିହିଛନ୍ତି।

କେବଳ ସେତିକି ନୁହେଁ ସେ କହିଛନ୍ତି ପଞ୍ଜଶିରର ସମ୍ମାନୀୟ ବ୍ୟକ୍ତିଙ୍କୁ ଆମେ ନିର୍ଭର ପ୍ରତିଶ୍ରୁତି ଦେଉଛୁ ସେମାନେ ବିଦ୍ୱେଷର ସରବ୍ୟ ହେବେ ନାହିଁ। ସେମାନେ ଆମର ଭାଇ ଭଳି। ଆମେ ଗୋଟିଏ ଦେଶ, ଗୋଟିଏ ଲକ୍ଷ୍ୟ ପାଇଁ କାର୍ଯ୍ୟ କରିବୁ। ଏହି ବିଜୟ ପରେ ଆମ ଦେଶ ସମ୍ପୂର୍ଣ୍ଣରୂପେ ଯୁଦ୍ଧରୁ ମୁକ୍ତ ହୋଇଛି। ଏବେ ମୁକ୍ତ ପରିବେଶରେ ସ୍ୱାଧୀନ ଓ ସମୃଦ୍ଧଶାଳୀ ହୋଇ ଦେଶବାସୀ ସୁଖଶାନ୍ତିରେ ଜୀବନଯାପନ କରିବେ।

ଅନ୍ୟପକ୍ଷରେ ରେଜିଷ୍ଟାନ୍‌ସ୍‌ ଫୋର୍ସର ନେତା ଅହମଦ୍ ମାସୁଦଙ୍କ ଠାରୁ କୌଣସି ବିବୃତି ମିଳିପାରି ନହିଁ। ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ତାଲିବାନର ଦାବି ମିଥ୍ୟା। ରେଜିଷ୍ଟାନ୍ସ ଫୋର୍ସ ପଞ୍ଜଶିରକୁ ପାହାଡରୁ ରକ୍ଷା କରୁଛି। ପାକିସ୍ତାନୀ ବାୟୁସେନା ସେମାନଙ୍କ ଉପରେ ଆକ୍ରମଣ କରୁଛି ବୋଲି ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button