କୌଣସି ଶକ୍ତି ଧାରା ୩୭୦କୁ ଫେରାଇ ଆଣି ପାରିବନି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବ୍ରହ୍ମାଣ୍ଡର କୌଣସି ଶକ୍ତି ଧାରା ୩୭୦କୁ ଆଉ ଫେରାଇ ଆଣି ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଖବର ଅନୁଯାୟୀ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରାଜନୀତି ଅପେକ୍ଷା ଜମ୍ମୁ-କଶ୍ମୀର ଓ ଲଦାଖର ଲୋକଙ୍କ ପାଇଁ ଧାରା ୩୭୦ ରଦ୍ଦ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଜମ୍ମୁ କଶ୍ମୀରରେ ବିକାଶ ଓ ସେଠାରେ ଥିବା ଲୋକଙ୍କ ସହଜ ଜୀବନ ପାଇଁ ଏହା ଆବଶ୍ୟକ ଥିଲା ବୋଲି ମୋଦି କହିଛନ୍ତି। ପିଡିପି ଓ ନ୍ୟାଶନାଲ କନ୍‌ଫ୍ରେନ୍ସକୁ ଟାର୍ଗେଟ କରି ମୋଦି କହିଛନ୍ତି କିଛି ପରିବାରବାଦୀମାନେ ରାଜନୈତିକ ସ୍ୱାର୍ଥ ପାଇଁ ହାତ ମୁଠାରେ କଏଦ କରିନେଇଥିଲେ। ଜମ୍ମୁ କଶ୍ମୀରର ସାଧାରଣ ଲୋକମାନେ କୌଣସି ସ୍ୱାର୍ଥପର ରାଜନୀତିର ଅଂଶ ନୁହଁନ୍ତି। ସେ ଅତୀତର ଅସୁବିଧାକୁ ଦୂର କରିବାକୁ ଓ ଦେଶର ସାଧାରଣ ନାଗରିକଙ୍କ ପରି କୌଣସି ଭେଦଭାବ ନକରି ନିଜ ପିଲାମାନଙ୍କର ଭବିଷ୍ୟତ ଏବଂ ବର୍ତ୍ତମାନକୁ ସୁରକ୍ଷିତ କରିବାକୁ ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଧାରା ୩୭୦ ହଟିବା ପରେ ଜମ୍ମୁ-କଶ୍ମୀର ଓ ଲଦାଖର ଚିତ୍ର ବଦଳିଛି। ଏବେ ସେଠାରେ ଲୋକେ ସିନେମା ହଲ୍‌ରେ ବସି ଫିଲ୍ମ ଦେଖି ପାରୁଛନ୍ତି। ଆତଙ୍କବାଦୀ ନୁହେଁ ପର୍ଯ୍ୟଟକଙ୍କ ମେଳା ଲାଗୁଛି। କେହି ଆଉ ପଥର ଫିଙ୍ଗୁ ନାହାନ୍ତି ବରଂ ସେଠାରେ ଚଳଚ୍ଚିତ୍ରର ସୁଟିଂ କରାଯାଉଛି। ଆଜି ଯେଉଁମାନେ ରାଜନୈତିକ ସ୍ୱାର୍ଥରୁ ଧାରା ୩୭୦ ବିଷୟରେ ଦ୍ୱନ୍ଦ୍ୱ ବିସ୍ତାର କରୁଛନ୍ତି ମୁଁ ସେମାନଙ୍କୁ ଖୋଲାଖୋଲି ଭାବେ କହିବି ବର୍ତ୍ତମାନ ବ୍ରହ୍ମାଣ୍ଡରେ କୌଣସି ଶକ୍ତି ଧାରା ୩୭୦ ଫେରାଇ ଆଣି ପାରିବେ ନାହିଁ।

Leave a Reply

Your email address will not be published. Required fields are marked *

Back to top button