ଦଳ ବଦଳାଇବେ କି ପ୍ରଦୀପ ମାଝି ?

ଭୁବନେଶ୍ଵର : କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଏବେ ରାଜ୍ୟ ସ୍ୱତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା। କିନ୍ତୁ ସେ ସନ୍ତୁଷ୍ଟ ଥିବାପରି ମନେ ହୁଏନାହିଁ। କାରଣ କୃଷକ ସମାବେଶରେ ଯେଉଁ ମତ ଦେଇଛନ୍ତି ତାହା କିଛି ଭିନ୍ନ ସନ୍ଦେଶ ଦେଉଛି। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ଭିଡିଓକୁ ଦେଖି ଲୋକେ କହୁଛନ୍ତି ପ୍ରଦୀପ କ’ଣ ୨୪ ନିର୍ବାଚନ ପୂର୍ବରୁ ଦଳ ବଦଳାଇବେ ?

ଖବର ଅନୁଯାୟୀ ଶନିବାର ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ୍‌ ରତାଖଣ୍ଡିଗୁଡ଼ା ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା କୃଷକ ସମାବେଶ। ଏଥିରେ ବିଜେଡି ନେତା ତଥା ରାଜ୍ୟ ସ୍ୱତନ୍ତ୍ର ବିକାଶ ପରିଷଦ ଉପଦ୍ଦେଷ୍ଟା ପ୍ରଦୀପ ମାଝୀ ଯୋଗଦେଇଥିଲେ। ଏହି ଅବସରରେ କୃଶ୍ରୀ ମାଝୀ କହିଥିଲେ ୨୦ବର୍ଷ ତଳେ ରତାଖଣ୍ଡିଗୁଡ଼ା ପଞ୍ଚାୟତର ଅବସ୍ଥା ଯେମିତି ଥିଲା, ଆଜି ସେମିତି ରହିଛି। ପଞ୍ଚାୟତ ଓ ଲୋକଙ୍କର କୌଣସି ଉନ୍ନତି ହୋଇନାହିଁ। ୯୦ରୁ ୯୫ ପ୍ରତିଶତ ଲୋକ ରାସନ୍‌କାର୍ଡ, ଭତ୍ତା, ଆବାସ ଗୃହ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ପ୍ରଶାସନ ପାଖକୁ ଦୌଡ଼ି ନିରାଶ ହୋଇ ଫେରୁଛନ୍ତି। ଆମକୁ କ’ଣ ଏ ଜଞ୍ଜାଳରୁ ମୁକ୍ତି ମଳିବ ନାହିଁ ? ଆଗାମୀ ପିଢ଼ି ଯେମିତି ଏ ସମସ୍ୟା ନଭୋଗିବେ ସେଥିପାଇଁ ଚିନ୍ତା କରିବାକୁ ପଡ଼ିବ ସେ କହିଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଏବେ ସାଧାରଣରେ ଚର୍ଚ୍ଚା ହେଉଛି ପ୍ରଦୀପ ମାଝୀ କିଛି ଭୁଲ କହିନାହାନ୍ତି। ପ୍ରକୃତ ସତ ପଦାକୁ ଆଣିଛନ୍ତି। କିନ୍ତୁ ପରେ କହିଛନ୍ତି ରାଜ୍ୟ ସରକାର ଚାଷୀଙ୍କ ପାଇଁ ବହୁ କାମ କରୁଛନ୍ତି। ତା’ହେଲେ ଅଞ୍ଚଳର ବିକାଶରେ ବାଧକ କିଏ ପ୍ରଶାସନ ନା ଜନପ୍ରତିନିଧି ? କେବେଳ ସେତିକି ନୁହେଁ ସମସ୍ୟା ପାଇଁ ଚିନ୍ତା କରିବାକୁ ପଡ଼ିବ କହିବାର ଉଦ୍ଦେଶ୍ୟ କ’ଣ ? ଏବେ ରାଜ୍ୟ ଶାସନ କ୍ଷମତାରେ ବିଜେଡି। ପ୍ରଦୀପ ମାଝୀ ଏହି ଦଳର ଜଣେ ବରିଷ୍ଠ ନେତା ହୋଇଥବାରୁ ଯେଉଁସବୁ ସମସ୍ୟା ବିଷୟରେ କହିଛନ୍ତି ତାହାର ସମାଧାନ ପାଇଁ ନିଜେ ଉଦ୍ୟମ କରିବା କଥା। କିନ୍ତୁ ପ୍ରୟାସ କରିଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି କଥା କହିନାହାନ୍ତି। ତେଣୁ ଲୋକେ କହୁଛନ୍ତି ବୋଧହୁଏ ସେ ବିଫଳ ହେବାପରେ ସମାବେଶରେ ପରୋକ୍ଷ ସମାଲୋଚନା କରିବାକୁ ଉଚିତ ମଣିଛନ୍ତି। ସେ ସିଧାସଳଖ କାହାରିକୁ ଦୋଷ ଦେଇନଥିଲେ ହେଁ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ କାଠଗଡାରେ ଠିଆ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଯଦି କୌଣସି ବିଜେଡି ନେତା ଏପରି କହିବାକୁ ସାହସ କରିପାରୁଛି ତେବେ ସେ ବିକଳ୍ପ ଚିନ୍ତାରେ ରହିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *

Back to top button