ପ୍ରେମିକକୁ ଜାଳିଦେଲେ ପ୍ରେମିକା ଘରଲୋକେ
ସାଗର : ପ୍ରେମିକକୁ ପ୍ରେମିକାର ଘର ଲୋକେ କିରୋସିନ୍ ଢାଳି ନିଆଁ ଲଗେଇଦେଲେ। ଗୁରୁବାର ରାତିରେ ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ନାରୟୋଲି ଥାନା ଅଧୀନସ୍ତ ସେମରା ଲହରିୟା ଗାଁରେ ଏଭଳି ନୃଂଶସ ଘଟଣା ଘଟିଛି। ପ୍ରେମିକ ଘର ଲୋକେ ସେଠାରେ ପହଞ୍ଚି ନିଆଁ ଲିଭାଇ ତାଙ୍କୁ ଡାକ୍ତରଖାନା ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେମାନେ ଅଭିଯୋଗ କରିଛନ୍ତି।
କେବଳ ସେତିକି ନୁହେଁ ପ୍ରେମିକାର ଘର ଭାଙ୍ଗି ମାଟିରେ ମିଶେଇ ଦେବାକୁ ଦାବିକରି ସେମାନେ ଶୁକ୍ରବାର ସନ୍ଧ୍ୟାରେ ସାଗର-ବୀଣା ରାସ୍ତା ଅବରୋଧ କରିଥିଲେ। ମଧ୍ୟପ୍ରଦେଶର ସହରଞ୍ଚାଳ ଶାସନ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ସେମାନଙ୍କୁ ବୁଝାଶୁଝା କରିବାରୁ ରାସ୍ତା ଅବରୋଧରୁ ହଟିଥିଲେ।
ଅନ୍ୟପକ୍ଷରେ ପ୍ରେମିକା ପୋଲିସକୁ କହିଛି ତାଙ୍କ ସହ କଥା ହେବ କହି ପ୍ରେମିକ ରାତିରେ ଘରକୁ ଆସିଥିଲା। ସାଙ୍ଗରେ ଆଣିଥିବା କିରୋସିନ୍କୁ ତାଙ୍କ ଉପରେ ଢାଳି ନିଆଁ ଲଗାଇବାକୁ ଯାଉଥିବାବେଳେ ଦୁର୍ଘଟଣା ବଶତଃ ପ୍ରେମିକ ଦେହରେ ନିଆଁ ଲାଗିଯାଇଥିଲା। ତାଙ୍କ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ମାତ୍ର ଅସଫଳ ହୋଇଥିଲେ। ପ୍ରମାଣ ସ୍ୱରୂପ ପ୍ରେମିକା ଦେହର କିଛି ଅଂଶ ଜଳି ଯାଇଥିବା ଦେଖାଯାଇଛି। ହେଲେ ସାଗର ଜିଲ୍ଲା ପୋଲିସ ଅଧିକ୍ଷକ ଅତୁଲ ସିଂହ ଗଣମାଧ୍ୟମକୁ କହିଛନ୍ତି ଯୁବକର ମୃତ୍ୟୁକାଳୀନ ଜବାନବନ୍ଦି ଭିତ୍ତିରେ ଯୁବତୀ ଘରର ଚାରି ଜଣ ଲୋକଙ୍କୁ ଗିରଫ କରାଯାଇ ଅଧିକ ଅନୁସନ୍ଧାନ ଚାଲିଛି।