ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମଧ୍ୟପ୍ରଦେଶରୁ ଏଲ୍.ମୁରୁଗନ୍ ଓ ଆସାମ ପାଇଁ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଦଳ ପ୍ରାର୍ଥୀ ବାଛିଛି। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ ନାମ ଘୋଷଣା କରାଯାଇଛି।
ମୁରୁଗନ ବର୍ତ୍ତମାନ ରାଜ୍ୟ ସୂଚନା ପ୍ରସାରଣ ମନ୍ତ୍ରୀ ଥିବା ବେଳେ ତା’ଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। କାରଣ ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଦେବନି ବୋଲି ନିଷ୍ପତ୍ତି ନେଇଛି। ମଧ୍ୟପ୍ରଦେଶର ୧୧ଟି ରାଜ୍ୟସଭାର ଆସନ ମଧ୍ୟରୁ ବର୍ତ୍ତମାନ ୭ଟି ସିଟ୍ ବିଜେପି ହାତରେ ଓ ତିନୋଟି ସିଟ୍ କଂଗ୍ରେସ ପାଖରେ ରହିଛି। ବାକି ପଡିଥିବା ଗୋଟିଏ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।
ସେହିପରି ସର୍ବାନନ୍ଦ ସୋନୋୱାଲ ଆସାମର ମୁଖ୍ୟମନ୍ତ୍ରୀ ଥିଲେ। ବିଧାନସଭା ନିର୍ବାଚନରେ ଜିତିବା ପରେ ସେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ। ତାଙ୍କୁ ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିଲା। ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଶ୍ୱଜିତ ଡେମାରି ତାଙ୍କ ଦଳ ବିପିଏଫ ଓ ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଏବେ ଏହି ରାଜ୍ୟସଭା ଆସନ ଖାଲି ପଡିଛି। ଇସ୍ତଫା ଦେବା ପରେ ବିଶ୍ୱଜିତ ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ଆସନରେ ଦଳ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଛି।
ଉଲ୍ଲେଖଯୋଗ୍ୟ ଅକ୍ଟୋବର ୪ ତାରିଖରେ ରାଜ୍ୟସଭା ୬ଟି ଆସନ ପାଇଁ ଉପନିର୍ବାଚନ ହେବ। ସେଥିରେ ତାମିଲନାଡୁର ଦୁଇଟି, ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶର ଗୋଟିଏ ଲେଖାଏ ସିଟ୍ ରହିଛି। ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୨୨ ରହିଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ନାମାଙ୍କନ ପତ୍ର ଯାଞ୍ଚର ଶେଷ ତାରିଖ ସେପ୍ଟେମ୍ବର ୨୩ ଓ ସେପ୍ଟେମ୍ବର ୨୭ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଅକ୍ଟୋବର ୪ ତାରିଖ ସକାଳ ୯ଟାରୁ ୪ ଯାଏ ଯାଏ ମତଦାନ ହେବ। ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।